ହାଇଦ୍ରାବାଦ: 130 ବର୍ଷ ହେବ ସମଗ୍ର ମେ’ 1କୁ ଶ୍ରମିକ ଦିବସ ରୂପେ ପାଳନ କରି ଆସୁଛି । ସବୁ କ୍ଷେତ୍ରରେ ଶ୍ରମିକଙ୍କ ଯୋଗଦାନ ଜରୁରୀ । ତେବେ କେତେ ସୁରକ୍ଷିତ ସେମାନେ ? ଗତ ବର୍ଷ କୋଭିଡ ମହାମାରୀରେ ଏହି ଚିତ୍ର ସ୍ପଷ୍ଟ ହୋଇଯାଇଛି । କୋଠାବାଡି ନିର୍ମାଣଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣରେ ଶ୍ରମିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଦୈନିକ 8 ଘଣ୍ଟା କାର୍ଯ୍ୟ କରିବାର ଦାବିକୁ ନେଇ ଜନ୍ମ ନେଇଥିଲା ଆନ୍ତର୍ଜାତିକ ଶ୍ରମିକ ଦିବସ । 1886 ମସିହାରେ ଆମେରିକାରେ 8 ଘଣ୍ଚା କାର୍ଯ୍ୟ ଦିବସ ଦାବିରେ ବିଶାଳ ସମାବେଶ ହୋଇଥିଲା । ଏହାପରେ ମେ 3 ବେଳକୁ ଆମେରିକା ମହାଦେଶରେ ନିଆଁ ଭଳି ବ୍ୟାପିଯାଇଥିଲା ଏହି ସମାବେଶ ।
40ଟି ସହରରେ ପୋଲିସର ବର୍ବର ଆକ୍ରମଣରେ 6 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । 1867 ମସିହା ନଭେମ୍ବର 11ରେ 4 ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦିଆଯାଇଥିଲା । ଶ୍ରମିକଙ୍କର ଏହି ରକ୍ତାକ୍ତ ସଂଗ୍ରାମକୁ ସମର୍ଥନ କରି ବିଶ୍ବରେ ଆରମ୍ଭ ହେଲା ଶ୍ରମିକ ଦିବସ । ଏହାପରେ ବହୁ ବିଦେଶୀ କମ୍ପାନୀ 8 ଘଣ୍ଟା ବଦଳରେ ଶ୍ରମିକଙ୍କୁ 12 ଘଣ୍ଟା ଖଟାଉଛନ୍ତି । ସ୍ଥାୟୀ ନିଯୁକ୍ତି ଦେବା ସହ ବାହ୍ୟଲୋକଙ୍କ ମାଧ୍ୟମରେ କାମ କରାଇ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ-ଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ।
ଶ୍ରମିକଙ୍କ ସୁରକ୍ଷା ପାଇଁ କାହିଁ କେତେ ଆଇନ କାନୁନ । ଇଂରେଜଙ୍କ ସହ ବହୁ ସଂଘର୍ଷ କରି ଶ୍ରମିକଙ୍କ ପାଇଁ ଅଧିକାରକୁ ଆମେ ଛଡାଇ ଆଣିଥିଲେ । ସ୍ବାଧିନତା ପରେ 47ଟି ଶ୍ରମ ଆଇନ ସଂଶୋଧିତ ହୋଇଥିବା ବେଳେ 4ଟି ଶ୍ରମ ସଂହିତାରେ ପରିଣତ ହୋଇଛି । ଏହାଦ୍ବାରା ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଛି ବୋଲି ଆଶଙ୍କା ପ୍ରକାଶ ପାଉଛି । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଇନ 1996 ଅଧିନରେ ଥିବା ହଜାର ହଜାର କୋଟି ଟଙ୍କା ସେସ୍ ଅର୍ଥ ରାଜ୍ୟ ବୋର୍ଡ ଦ୍ବାରା ଶ୍ରମିକ କଲ୍ୟାଣ ପାଇଁ ପରିଚାଳିତ ହେଉଛି ।
ଗତ ବର୍ଷ କୋରୋନା ଶ୍ରମିକଙ୍କ ଜୀବନରେ ଆଣିଦେଇଥିଲା ଅସୀମ ଦୁଃଖ ଓ ଯନ୍ତ୍ରଣା । ରାଜରାସ୍ତାରେ ଚାଲି ଚାଲି ଶତାଧିକ ଲୋକଙ୍କ ଜୀବନ ଯାଇଛି । ତାହାର ସଠିକ୍ ଖବର ସରକାର ପାଖରେ ବି ନାହିଁ । ଆଜି ପର୍ଯ୍ୟନ୍ତ ଶ୍ରମିକଙ୍କ ପରିବାରକୁ ଏବାବଦରେ ଟଙ୍କାଟିଏ ବି ସହାୟତା ମିଳିପାରି ନାହିଁ । କୋରୋନା ଦ୍ବିତୀୟ ଲହରରେ ସବୁଠାରୁ ଜର୍ଜରିତ ଶ୍ରମିକଙ୍କ କାହାଣୀ । ଲକଡାଉନ୍, ସଟଡାଉନ୍ ମଧ୍ୟରେ ସେମାନଙ୍କୁ ପୁଣି ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା । 2004 ଅର୍ଜୁନ ସେନଗୁପ୍ତା ବିବରଣୀ ଆଧାରରେ 70 ଭାଗ ଶ୍ରମିକ ଦୈନିକ 20 ଟଙ୍କାରେ ବଞ୍ଚିଥାନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ, ଭାରତ ବର୍ଷରେ 40 କୋଟି 77 ଲକ୍ଷ ଶ୍ରମିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ 3 କୋଟି 50 ଲକ୍ଷ ସଂଗଠିତ ଶ୍ରମିକ । ସେମାନଙ୍କ ପାଇଁ ସରକାର, କର୍ପୋରେଟ କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ଉଲ୍ଲେଖ ରହିଛି । ଅନ୍ୟପକ୍ଷେ ବାକି 37 କୋଟି ଅଣସଂଗଠିତ ଶ୍ରମିକ । ଏହି ଶ୍ରମିକଙ୍କ ଅନୁପାତ 93 ପ୍ରତିଶତ ଥିବାବେଳେ ମାତ୍ର 7 ପ୍ରତିଶତ ସଂଗଠିତ ଭାବେ କାର୍ଯ୍ୟ କରୁଛନ୍ତି ।
ପେଟ ପାଇଁ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ଆଉ ମୃତ୍ୟୁର ସାମ୍ନା କରୁଛି । ରାଜ୍ୟ ଭିତରେ ନିଯୁକ୍ତିର ଅଭାବ, ଶିକ୍ଷା, ବିବାହ, ପ୍ରସୂତିକାଳୀନ ସମସ୍ୟା ସେମାନଙ୍କ ପାଇଁ ନିତିଦିନିଆ । ଏସବୁ ମଧ୍ୟରେ ସେମାନଙ୍କ ହକର ସହାୟତା ରାଶି ମଧ୍ୟ ସେମାନଙ୍କୁ ମିଳି ପାରୁନାହିଁ । ତେବେ ସଂଗଠିତ ଶ୍ରମିକ ପାଇଁ ରାଜ୍ୟରେ ପ୍ରାୟ 55 ହଜାରରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ ବି ପଞ୍ଜୀକରଣ ହୋଇ ପାରି ନାହାଁନ୍ତି । ଜାତିସଂଘ ଓ ବିଶ୍ବ ଶ୍ରମ ସମ୍ମିଳନୀର ନିର୍ଦ୍ଦେଶନାମା ସତ୍ତ୍ବେ ପ୍ରତ୍ୟେକ ଶ୍ରମିକର ସାମାଜିକ ସୁରକ୍ଷା ପ୍ରଦାନ କ୍ଷେତ୍ରରେ କଠୋର ପଦକ୍ଷେପ ନିଆଯାଉ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ