କୋଲକାତା: ଆରମ୍ଭ ହୋଇଯାଇଛି 4 କ୍ବାଡ ଦେଶ ମଧ୍ୟରେ ମାଲବାର ଯୁଦ୍ଧାଭ୍ୟାସ । ମଙ୍ଗଳବାର ପଶ୍ଚିମବଙ୍ଗର ଖାଡିରେ ଆରମ୍ଭ ହୋଇଥିବା ଏହଗି ଯୁଦ୍ଧାଭ୍ୟାସରେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାର ନୌସେନା ସମୁଦ୍ର ଭିତରେ ଦେଖାଇଛନ୍ତି ନିଜ ନିଜର ଶକ୍ତି । ଏହି ମିଳିତ ଯୁଦ୍ଧାଭ୍ୟାସ ନଭେମ୍ବର 6 ପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।
ବଙ୍ଗୋପସାଗରରେ ଚାଲିଥିବା ମାଲବାର ଯୁଦ୍ଧାଭ୍ୟାସକୁ ଦେଖି ଟେନସନରେ ରହିଛି ଚୀନ । ଏହି ଯୁଦ୍ଧାଭ୍ୟାସକୁ ନେଇ ସାମ୍ନାକୁ ଆସିଛି ଚୀନର ପ୍ରତିକ୍ରିୟା । ଏହି ଯୁଦ୍ଧାଭ୍ୟାସ ଯୋଗୁଁ ଇଣ୍ଡୋ ସ୍ପେସିଫିକ ଅଞ୍ଚଳ ଜିୟୋ ପିଲିଟିକାଲ ହଟସ୍ପଟରେ ପରିବର୍ତ୍ତିତ ହୋଇଯିବ ବୋଲି ପ୍ରତିକ୍ରିୟା ଦେଇଛି ଚୀନ ।
ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମିଶି କ୍ବାଡ ଦେଶ ଗଠନ କରିଛନ୍ତି । ଏହି ଦେଶଗୁଡିକର ନୌସେନା ମାଲବାର ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି । ଏପରିସ୍ଥିତିରେ ଆଗାମୀ ଦିନରେ ଅନ୍ୟ ଦେଶଗୁଡିକ ମଧ୍ୟ ଏଥିରେ ସାମିଲ ହେବେ । ତେବେ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି ଚୀନ ।
ମାଲବାର ଯୁଦ୍ଧାଭ୍ୟାସକୁ ନେଇ ଭାରତକୁ ଟାର୍ଗେଟ କରିଛି ଗ୍ଲୋବାଲ ଟାଇମ୍ସ । ଚୀନ ମୁଖପତ୍ର ଲେଖିଛି ଯେ ଭାରତ ଚୀନ ବିରୋଧରେ ଆମେରିକାଠାରୁ ସହାୟତା ନେବାକୁ ଚାହୁଁଛି । ହେଲେ ଏପରି କଲେ ଭାରତ କେବଳ ମୋହରା ହୋଇ ରହିଯିବ ବୋଲି ଏଥିରେ ଲେଖାଯାଇଛି ।
ପ୍ରଥମ ଥର ପାଇଁ 4 କ୍ବାଡ ଦେଶର ନୌସେନା ଯୁଦ୍ଧାଭ୍ୟାସରେ ସାମିଲ ହେଉଛନ୍ତି । ଲଦାଖ ସୀମାରେ ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ 4 କ୍ବାଡ ଦେଶର ଯୁଦ୍ଧାଭ୍ୟାସକୁ ଉଭୟ ସାମରିକ ଓ କୂଟନୈତିକ ଦୃଷ୍ଟିକୋଣରୁ ବେଶ ମହତ୍ବପୂର୍ଣ୍ଣ କୁହାଯାଇପାରେ ।
ପୂର୍ବରୁ ଆମେରିକା ଏବଂ ଭାରତ ମଧ୍ୟରେ ମାଲବାର ଯୁଦ୍ଧାଭ୍ୟାସ ହେଉଥିଲା । ପରେ ଜାପାନ ଏଥିରେ ଯୋଗ ଦେଇଥିଲା । ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆ ମାଲବାର ଯୁଦ୍ଧାଭ୍ୟାସରେ ସାମିଲ ହେବା ଦ୍ବାରା କ୍ବାଡ ଦେଶର ସାମରିକ ଶକ୍ତିରେ ଆହୁରି ବୃଦ୍ଧି ଘଟିବ ।
ନିକଟରେ ଟୋକିଓରେ କ୍ବାଡ ଦେଶ ମଧ୍ୟରେ ଏକ ବିଶେଷ ବୈଠକ ହୋଇଥିଲା, ଯେଉଁଥିରେ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅଷ୍ଟ୍ରେଲିଆକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁମୋଦନ କରାଯାଇଥିଲା। ଏଥର ନଭେମ୍ବରରେ ବଙ୍ଗୋପସାଗର ଏବଂ ଆରବ ସାଗର ମଧ୍ୟରେ ମାଲାବାର ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେବ। ଏହି ଯୁଦ୍ଧାଭ୍ୟାସ କେବଳ କ୍ବାଡ ଦେଶର ମିଳିତ ଶକ୍ତି ପ୍ରଦର୍ଶନ କରିବ ନାହିଁ, ବରଂ ଏହା ଚୀନ ପାଇଁ ମଧ୍ୟ ସୃଷ୍ଟି କରିବ ବଡ ଆଡୁଆ। ଚୀନ କ୍ବାଡ ଦେଶର ଏଭଳି ଯୁଦ୍ଧାଭ୍ୟାସକୁ ବିରୋଧ କରିଥିଲା।