ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ସମୀକରଣ ମଧ୍ୟ ବଦଳିଛି । ଦ୍ବିପାକ୍ଷିକ ସମ୍ପର୍କରେ ମଧ୍ୟ ପରିବର୍ତ୍ତନ ଆସିଛି । ଋଷର ଆକ୍ରମଣକୁ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ଅନେକ ପଶ୍ଚିମ ରାଷ୍ଟ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି କରିଛନ୍ତି । ପଶ୍ଚିମ ପ୍ରତିବନ୍ଧ ସତ୍ତ୍ବେ ମଧ୍ୟ ଭାରତ ଋଷ ମଧ୍ୟରେ ବାଣିଜ୍ୟିକ କାରବାର ପୂର୍ବପରି ସ୍ବାଭାବିକ ଭାବେ ଜାରି ରହିବ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ।
ପଶ୍ଚିମ ରାଷ୍ଟ୍ର ସମୂହରୁ ଏକାଧିକ ଆର୍ଥିକ, ବାଣିଜ୍ୟିକ କଟକଣାର ସାମ୍ନା କରୁଛି ଋଷ । ଏହାରି ମଧ୍ୟରେ ଋଷର ଦୀର୍ଘକାଳୀନ ବନ୍ଧୁ ଭାରତ କିନ୍ତୁ କୌଣସି ପକ୍ଷଭୂକ୍ତ କିମ୍ବା ଋଷର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା ନକରି କେବଳ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ପରାମର୍ଶ ଦେଇଆସିଛି । ଏପିରି ସ୍ଥଳେ ଋଷ-ଭାରତ ମଧ୍ୟରେ ଏକାଧିକ ଦ୍ବିପାକ୍ଷିକ ଓ ବାଣିଜ୍ୟିକ ଚୁକ୍ତି ମଧ୍ୟ ରହିଛି ।
ଆଜି ଦୁଇ ଦେଶର ସମ୍ପର୍କ ନେଇ ନୂଆଦିଲ୍ଲୀରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଡେନିସ ଆଲିପଭ କହିଛନ୍ତି, ତମାମ ପଶ୍ଚିମ ପ୍ରତିବନ୍ଧକ ସତ୍ତ୍ବେ ମଧ୍ୟ ଭାରତ-ଋଷ ଦ୍ବିପାକ୍ଷିକ ସମ୍ପର୍କ ଜାରି ରହିବ । ଯୁଦ୍ଧ ଆରମ୍ଭ ହେବା ପରେ ବାଣିଜ୍ୟିକ ସମ୍ପର୍କରେ ସାମାନ୍ୟ ସମସ୍ୟା ମଧ୍ୟ ବଢିଛି । କିନ୍ତୁ ପୂର୍ବ ଧାରାକୁ ବଜାୟ ରଖିବା ପାଇଁ ଦୁଇ ଦେଶ ସ୍ଥିତିକୁ ଠିକ ଭାବେ ଅତିକ୍ରମ ମଧ୍ୟ କରିବାରେ ସଫଳ ହୋଇଛନ୍ତି । ସ୍ପିଟୋନିକ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ସହ ଦୁଇ ଦେଶର ସଫଳ ସହଭାଗିତାର କଥା ମଧ୍ୟ କହିଛନ୍ତି ।
ସେ କହିଛନ୍ତି, ୟୁକ୍ରେନରେ ଋଷ ସାମରିକ ଅପରେସନ ଆରମ୍ଭ କରିବାର ପ୍ରାରମ୍ଭିକ ଦିନ ଗୁଡିକରେ ଭାରତକୁ ରପ୍ତାନୀରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିଲା । କିନ୍ତୁ ସମୟ ବଢିବା ସହ ଏହି ସମସ୍ୟାର ସମାଧାନର ରାସ୍ତା ମଧ୍ୟ ସ୍ପଷ୍ଟ ହୋଇସାରିଛି । ଦୁଇ ଦେଶ ନିଜର ସାଧାରଣ ସ୍ବାର୍ଥ ଦୃଷ୍ଟିରୁ ପୂର୍ବ ସମ୍ପର୍କକୁ ବଜାୟ ରଖିବାରେ ସଫଳତା ପାଇଛନ୍ତି । ଆଗାମୀ ଦିନରେ ମଧ୍ୟରେ ତମାମ କଟକଣା ସତ୍ତ୍ବେ ମଧ୍ୟ ଦୁଇ ଦେଶ ମଧ୍ୟରେ ରହି ଆସିଥିବା ସମ୍ପର୍କରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ । ତେବେ ଯୁଦ୍ଧ ପରେ ଋଷକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଆମେରିକା ଓ ନାଟୋ ସଦସ୍ୟ ଦେଶ ସମେତ ଅନ୍ୟ କିଛି ପଶ୍ଚିମ ରାଷ୍ଟ୍ର ମଧ୍ୟ ବାଣିଜ୍ୟିକ କଟକଣା ଜାରି କରିଛନ୍ତି ।
ଅନ୍ତର୍ଜାତୀୟ ସ୍ତରରେ ନିଜ ନିରପେକ୍ଷ ଓ ମାନବାଦୀ ଆଭିମୁଖ୍ୟ ପାଇଁ ପରିଚୟ ପାଇଥିବା ଭାରତ କିନ୍ତୁ ଏହି ଯୁଦ୍ଧ ମଧ୍ୟରେ ଅତି ସନ୍ତୁଳନ ରକ୍ଷା କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ଉଭୟ ଦେଶକୁ ଆଲୋଚନା କରିବାକୁ ଆହ୍ବାନ ଦେବା ସହ ଉଭୟ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ନିଜେ ଫୋନ ଯୋଗେ ମଧ୍ୟ ଆଲୋଚନା କରିଛନ୍ତି । ଦୁଇ ଦେଶର ମିଳିତ ସହଯୋଗରେ ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଇବା ୟୁକ୍ରେନ ଔଷଧ ଓ ଚିକିତ୍ସା ସାମଗ୍ରୀ ପଠାଇ ସାରିଛି ଭାରତ । ସେହିପରି ଜାତିସଂଘ ପରି ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଶାନ୍ତି ଆଲୋଚନାର ପ୍ରସ୍ତାବ ରଖି ନିରପେକ୍ଷ ଆଭିମୁଖ୍ୟ ପୋଷଣ କରିଛି ଭାରାତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ