ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଟଣାଓଟରା ଲାଗି ରହିଛି । ଏହାରି ଭିତରେ କିଶନଗଙ୍ଗା ଓ ରାଟେଲ ଜଳବିଦ୍ୟୁତ ପ୍ରକଳ୍ପ ବିବାଦକୁ ନେଇ ଅଷ୍ଟ୍ରେଲିଆର ଭିଏନା ସ୍ଥିତ ସ୍ଥାୟୀ ମଧ୍ୟସ୍ଥତା ନ୍ୟାୟାଳୟରେ ତଟସ୍ଥ ବିଶେଷଜ୍ଞ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ ଭାରତ ଓ ପାକିସ୍ତାନର ପ୍ରତିନିଧି ମଣ୍ଡଳୀ ଏଥିରେ ଯୋଗ ଦେଇ ଦେଇ କିଶନଗଙ୍ଗା ଓ ରାଟେଲ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେପ୍ଟେମ୍ବର ୨୦ରୁ ୨୧ ଯାଏଁ ଏହି ଦୁଇ ଦିନିଆ ବୈଠକ ବସିଥିଲା । ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ-କାଶ୍ମୀର ଦେଇ ପ୍ରବାହିତ ଚେନାବ ନଦୀରେ କିଶନଗଙ୍ଗା ଓ ରାଟେଲ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ ନେଇ ପାକିସ୍ତାନ ଆପତ୍ତି ଉଠାଇବା ପରେ ଭାରତର ଅନୁରୋଧ କ୍ରମେ ନିରପେକ୍ଷ ତଟସ୍ଥ ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଭିଏନାରେ ବସିଥିବା ତଟସ୍ଥ ବିଶେଷଜ୍ଞଙ୍କ ବୈଠକରେ ଭାରତ ପଟୁ ଜଳସମ୍ପଦ ବିଭାଗ ସଚିବଙ୍କ ନେତୃତ୍ବାଧୀନ ଏକ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଭାରତର ମୁଖ୍ୟ ଓକିଲ ଭାବେ ଏଥିରେ ପ୍ରତିନିଧିତ୍ବ କରିଥିଲେ । ତେବେ ଏହି ଦୁଇ ଦିନିଆ ବୈଠକରେ ଭାରତ ତଟସ୍ଥ ବିଶେଷଜ୍ଞଙ୍କ ମାଧ୍ୟମରେ ଜଳ ବିବାଦର ସମାଧାନ ଉପରେ ଜୋର ଦେଇଥିବା ସୂଚନା ମିଳିଛି ।
ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ତଟସ୍ଥ ବିଶେଷଜ୍ଞ କାର୍ଯ୍ୟକାରୀ ବୈଠକ ଜାରି ରହିଛି ଏବଂ କିଛି ସମୟ ଯାଏ ଜାରି ରହିବା ବୋଲି ଆଶା କରାଯାଉଛି । ସିନ୍ଧୁ ଜଳ ଚୁକ୍ତିର ପ୍ରାବଧାନ ଅନୁସାରେ ଜଳ ବିବାଦର ସମାଧାନ ପାଇଁ ବର୍ତ୍ତମାନ ସ୍ଥିତିରେ ନିରପେକ୍ଷ ତଟସ୍ଥ ବିଶେଷଜ୍ଞ ଆଲୋଚନା ହିଁ ଏକମାତ୍ର ବୈଧ ପ୍ରକ୍ରିୟା ଅଟେ ।
ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ଜଳବିଦ୍ୟୁତ ପ୍ରକଳ୍ପ ବିବାଦର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା ନ୍ୟାୟାଳୟର ପ୍ରକ୍ରିୟାରେ ସହଯୋଗ ନକରିବାର କାରଣ ମଧ୍ୟ କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ, ସିନ୍ଧୁ ଜଳ ବୁଝାମଣାର ଉଲ୍ଲଙ୍ଘନ ପୂର୍ବକ ମଧ୍ୟସ୍ଥତା ନ୍ୟାୟାଳୟ ଗଠନ ହୋଇଛି । ଯାହାକି ଅବୈଧ ଅଟେ । ଏହି କାରଣରୁ ଭାରତ କିଶନଗଙ୍ଗା ଓ ରାଟେଲ ପ୍ରକଳ୍ପ ସହ ଜଡିତ ପ୍ରସଙ୍ଗରେ ଏହି ନ୍ୟାୟାଳୟର ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।
ସିନ୍ଧୁ ଜଳ ଚୁକ୍ତି କ'ଣ: କହିରଖଛୁ କି, ୧୯୬୦ରେ ପାକିସ୍ତାନ ଓ ଭାରତ ମଧ୍ୟରେ ଇଣ୍ଡସ(ସିନ୍ଧୁ) ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହି ବୁଝାମଣା ଅନୁସାରେ, ପୂର୍ବ ପଟେ ଥିବା ସତେଲଜ, ବିଏସ ଓ ରବି ନଦୀ ସମୂହରେ ପ୍ରବାହିତ ବାର୍ଷିକ ୩.୩ କୋଟି ଏକର ଫୁଟ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଥିବା ବେଳେ ପଶ୍ଚିମ ପଟର ସିନ୍ଧୁ, ଝେଲମ ଓ ଚେନାବ ନଦୀରେ ପ୍ରବାହିତ ୮ କୋଟି ଏକର ଫୁଟ ପାଣି ପାକିସ୍ତାନ ନିୟନ୍ତ୍ରଣରେ ରହିଛି ।