ନୂଆଦିଲ୍ଲୀ: କୋରୋନା ସଂକ୍ରମଣରେ ବଡ ହ୍ରାସ । ଦୀର୍ଘ ଦିନ ପରେ ଦେଶରେ 10 ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମାତ୍ର 8,813 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 8,813 fresh Covid Cases) । ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି ।
ଦିନକରେ 29 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15,040 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,36,38,844କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,11,252ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 4.15% ରହିଛି । ଏବେ ସୁଦ୍ଧା ସମୁଦାୟ 5,27,098 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 208 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 6,10,863 ଜଣଙ୍କୁ ଟିକା ଦିଆଯାଇଛି ।