ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି ତୃତୀୟ ଲହର । ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ସହ ଲାଇନଚ୍ୟୁତ ହୋଇଯାଇଥିବା ଜନଜୀବନ ପୁଣିଥରେ ଟ୍ରାକକୁ ଫେରୁଛି । କୋରୋନା ସ୍ଥିତିରେ ସୁଧାର ଆସୁଥିବାରୁ ପ୍ରାୟ ୨ ବର୍ଷ ପରେ ସ୍ବାଭାବିକ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ । ଆସନ୍ତା ମାର୍ଚ୍ଚ ୧୫ କିମ୍ବା ମାସ ଶେଷ ସୁଦ୍ଧା ଆନ୍ତର୍ଜାତିକ ବିମାନ ଉଡାଣ ସ୍ବାଭାବିକ ହୋଇପାରେ । ୨୦୨୦ରେ କୋଭିଡ ମହାମାରୀ ବ୍ୟାପିବା ପରଠୁ ଆନ୍ତର୍ଜାତିକ ଉଡାଣ ବନ୍ଦ ରହିଛି । କେବେଳ ଏୟାର ବବଲ୍ ବୁଝାମଣା ଅଧୀନରେ ଅଳ୍ପ ସଂଖ୍ୟକ ବିମାନ ଉଡାଣକୁ ଅନୁମତି ଦିଆଯାଇଛି ।
ବର୍ତ୍ତମାନ କୋରୋନା ସ୍ଥିତିରେ ସୁଧାର ଆସୁଥିବାରୁ ଆନ୍ତର୍ଜାତିକ ଉଡାଣ ସ୍ବାଭାବିକ ହୋଇପାରେ । ବିମାନ ଉଡାଣ ଆରମ୍ଭ କରିବା ଲାଗି ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଲୋଡା ଯାଇଛି । ମନ୍ତ୍ରଣାଳୟ ମାର୍ଚ୍ଚ ଶେଷ ସୁଦ୍ଧା ଅନ୍ତରାଷ୍ଟ୍ରୀୟ ବିମାନ ସେବା ସ୍ବାଭାବିକ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଛି । ତେଣୁ ମାର୍ଚ୍ଚ ୧୫ କିମ୍ବା ମାସ ଶେଷ ସୁଦ୍ଧା ପୁଣିଥରେ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।