ନୂଆଦିଲ୍ଲୀ: ରାଜ୍ୟ ବାହାରେ ପ୍ରଶଂସା ସାଉଁଟୁଛି ଓଡିଆଙ୍କ ହାତ ତିଆରି ଜିନିଷ । ରାଜଧାନୀ ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (India International Trade Fair)ରେ ଗ୍ରାହକଙ୍କ ମନ ଜିଣୁଛି ଓଡ଼ିଶାର ଜିନିଷ । ଏସ୍ଏଚଜିଙ୍କ ଦ୍ବାରା ପ୍ରସ୍ତୁତ ଅଦରକାରୀ କାଗଜରୁ ପ୍ରସ୍ତୁତ ଘର ସାଜସଜ୍ଜା ସାମଗ୍ରୀ, ପଟ୍ଟଚିତ୍ର, କାଇଁଚ ଘାସ ଓ ସବାଇ ଘାସରୁ ତିଆରି ଉତ୍ପାଦ ସବୁ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏହି ବାଣିଜ୍ୟ ମେଳା ସାହାଯ୍ୟରେ ଓଡ଼ିଶାର ଉତ୍ପାଦ ଜାତୀୟସ୍ତରରେ ପହଞ୍ଚିବାରେ ସହାୟକ ହୋଇଛି ।
ଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ହେଉଥିବା ଜାତୀୟ ସ୍ତରର ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିଅନରେ ସ୍ଥାନ ପାଇଛି ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ଓରମାସ୍ ଷ୍ଟଲ୍ । ଓଡ଼ିଶାର ଏହି ଷ୍ଟଲରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବିକ୍ରି ହେଉଛି ।
IITF ଓଡ଼ିଶା ପାଭିଲିଅନରେ ସ୍ଥାନ ପାଇଥିବା ଷ୍ଟଲରେ କେନ୍ଦୁଝରର ଅଦରକାରୀ କାଗଜରୁ ପ୍ରସ୍ତୁତ ସାମଗ୍ରୀ, ପୁରୀର ପଟ୍ଟଚିତ୍ର, ଜଗତସିଂହପୁରର କାଇଁଚ ଘାସରୁ ତିଆରି ସାମଗ୍ରୀ ଓ ମୟୂରଭଞ୍ଜର ସବାଇ ଘାସ ସାମଗ୍ରୀ ଆଦି ବିକ୍ରି ହେଉଛି । ଷ୍ଟଲ୍ ଗୁଡିକରେ ଗ୍ରାମୀଣ ମହିଳା କାରିଗରଙ୍କ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ଓ ଡେକୋରେଟିଭ୍ ସାମଗ୍ରୀ ବିକ୍ରି ହେଉଛି ।
ଏହା ସହିତ ଓଡ଼ିଶାର ଉତ୍ପାଦ ପ୍ରତି ଅନ୍ୟ ରାଜ୍ୟର ଗ୍ରାହକ ମଧ୍ୟ ଆକୃଷ୍ଟ ହେଉଛନ୍ତି । ବଜାରଠାରୁ କମ୍ ଦରରେ ମିଳୁଥିବାରୁ ମେଳାରେ ଏଠାରେ ଗ୍ରାହକଙ୍କ ଭିଡ଼ ଜମୁଛି । ଏହି ବାଣିଜ୍ୟ ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାକୁ ଆସିଥିବା ଜଣେ ଗ୍ରାହକ କହିଛନ୍ତି, "ଓଡିଶା ପାଭଲିୟନର ସମସ୍ତ ସାମଗ୍ରୀ ବହୁତ ବେଶ୍ ଆକୃଷ୍ଟ କରୁଛି । ବଜାର ଦରଠାରୁ ଏହାର ମୂଲ୍ୟ କମ୍ ରହିଛି ।"