ଜନ୍ତରମନ୍ତର (ନୂଆଦିଲ୍ଲୀ): ସଂସଦର ଶୀତକାଳୀନ ଅଧିବେଳନ ଶେଷ ହେଲା । ମାତ୍ର ଶେଷ ହେଉନି ବିରୋଧୀଙ୍କ ବିକ୍ଷୋଭ ଏବଂ ଧାରଣା । ସଂସଦ ପରେ ସଂସଦ ବାହାରେ ବିରୋଧ ଜାରି ରଖିଛନ୍ତି ବିପକ୍ଷ । ସଂସଦରେ ସୁରକ୍ଷା ଭଙ୍ଗ ଏବଂ 146 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ, ଗର୍ଜନ ଜାରି ରଖିଛନ୍ତି ବିରୋଧୀ । ଗତକାଲି ପାର୍ଲାମେଣ୍ଟରୁ ବିଜୟ ଚୌକ ପର୍ଯ୍ୟନ୍ତ ମାର୍ଚ୍ଚ କରିବା ପରେ ଆଜି ଜନ୍ତରମନ୍ତରରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆୟୋଜିତ ହୋଇଛି ଆକ୍ରାଶ ମାର୍ଚ୍ଚ । ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳଗୁଡ଼ିକର ଛାମୁଆ ନେତା । ବିରୋଧୀ ନୋତମାନେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
ଜନ୍ତରମନ୍ତର ଆକ୍ରୋଶ ରାଲିରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଅଧୀର ରଞ୍ଜନ ଚୌଧୁରୀ, କେସି ବେଣୁଗୋପାଳ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଏମ ନେତା ସୀତାରାମ ୟେଚୁରୀ ଏବଂ ସିପିଆଇ ନେତା ଡି. ରାଜାଙ୍କ ସମେତ ଅନ୍ୟ ବିରୋଧୀ ମେଣ୍ଟ ନେତା ।
କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ୍ ଖଡ଼ଗେ କହିଛନ୍ତି, 'ସମ୍ବିଧାନ ଅନୁଯାୟୀ ସମସ୍ତଙ୍କର କହିବାର ଅଧିକାର ଅଛି । ଯେତେବେଳେ ଆମେ ସଂସଦରେ ନୋଟିସ ଦେଉଛୁ, ଆମକୁ ସୁଯୋଗ ଦିଆ ଯାଉନାହିଁ । ବିଜେପି ସରକାର ଜଣେ ଦଳିତଙ୍କୁ କହିବାକୁ ଅନୁମତ ଦେଉ ନାହାନ୍ତି । ଆମ ଅଧିକାର କେହି ଛଡ଼ାଇ ନେଇ ପାରିବେ ନାହିଁ । ଦେଶକୁ ସ୍ବାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ମହାତ୍ମା ଗାନ୍ଧି, ଜବାହରଲାଲ ନେହେରୁ, ସରଦାର ପଟେଲ ଏବଂ ଆମ୍ବୋଦକରଙ୍କ ଭଳି ଦେଶଭକ୍ତ । ବର୍ତ୍ତମାନର ସରକାର, ବିରୋଧୀ ଦଳର ସାଂସଦମାନଙ୍କୁ ନିଲମ୍ବନ କରୁଛନ୍ତି ଏବଂ ବିରୋଧୀଙ୍କ ଅନୁପସ୍ଥିତିରେ ଆଇନ ପ୍ରଣୟନ କରୁଛନ୍ତି । ବିରୋଧୀ ଦଳଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ । '
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, "ଗଣମାଧ୍ୟମରେ ଦେଶରେ ବେରୋଜଗାରୀ ବିଷୟରେ ଆଲୋଚନା ହେଉନାହିଁ । କିନ୍ତୁ ନିଲମ୍ବିତ ସାଂସଦମାନେ ବସିଥିବା ଧାରଣାସ୍ଥଳରେ ରାହୁଲ ଗାନ୍ଧି ଏକ ଭିଡିଓ ରେକର୍ଡିଂ କରିବା ବିଷୟରେ ବେଶୀ ଚର୍ଚ୍ଚା ହେଉଛି । 2 ଜଣ ଯୁବକ ସଂସଦ ପଶି ଯେତେବେଳେ ଧୂଆଁ ଛାଡ଼ିଲେ, ଏହି ସମୟରେ ବିଜେପି ସାଂସଦମାନେ ଦୌଡ଼ି ପଳାଇଥିଲେ । ଏହା ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ଘଟଣା ହୋଇଥିବା ବେଳେ, ବିରୋଧୀଙ୍କ ପ୍ରଦର୍ଶନ ଉପରେ ପାଲଟା ପ୍ରଶ୍ନ କରୁଛନ୍ତି ସରକାର ।" ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଯେ କୌଣସି ପ୍ରକାର ମୂଲ୍ୟ ଦେବାକୁ ପ୍ରସ୍ତୁତ । କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ । ଜନ୍ତରମନ୍ତର ଆକ୍ରୋଶ ରାଲିରେ ସାମିଲ ଇଣ୍ଡିଆ ବ୍ଲକର ନେତାମାନେ, କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।
ଏହା ମଧ୍ଯ ପଢ଼ନ୍ତୁ: ସଂସଦ ଶୀତ ଅଧିବେଶନରେ ଐତିହାସିକ ନିଷ୍ପତ୍ତି, 19 ବିଲ୍ ପାସ୍: ପ୍ରହ୍ଲାଦ ଯୋଶୀ
ଡିସେମ୍ବର 13ରେ 2 ଜଣ ବ୍ୟକ୍ତି ଲୋକସଭାରେ ପ୍ରବେଶ କରି ସୁରକ୍ଷା ଭଙ୍ଗ କରିଥିବା ବେଳେ, ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରି ଚାଲିଛନ୍ତି ବିରୋଧୀ । ବିରୋଧୀ ସାଂସଦମାନେ ସଂସଦ ଭିତରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ, 146 ସାଂସଦଙ୍କୁ ଅଶୋଭନୀୟ ଆଚରଣ ଆଧାରରେ ସସପେଣ୍ଡ କରାଯାଇଛି। ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଇଣ୍ଡିଆ ବ୍ଲକ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ