ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦ ଉପରେ ଜାରି ରହିଛି ଭାରତୀୟ କୂଟନୀତିର ବିଜୟ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଉଭୟ ଦେଶର ଦ୍ବାଦଶ ପର୍ଯ୍ୟାୟ ସୈନ୍ୟସ୍ତରୀୟ ଆଲୋଚନାର ଫଳାଫଳ । ମାଲଡୋ ଆଲୋଚନାରୁ ବାହାରିଛି ସମାଧାନର ରାସ୍ତା ।
ପୂର୍ବ ଲଦାଖର ଗୋଗରା ହାଇଟ୍ସ ଅଞ୍ଚଳରୁ ଭାରତ ଏବଂ ଚୀନ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ପୋଙ୍ଗୟାଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଏବଂ ଚୀନ ମଧ୍ୟରେ ଗତ ବର୍ଷ ମେ ୫ରେ ଆରମ୍ଭ ହୋଇଥିଲା ସାମରିକ ବିବାଦ। ଏହା ପରେ ଉଭୟ ଦେଶର ସୈନିକ ବହୁ ସଂଖ୍ୟାରେ ସୀମାରେ ମୁତୟନ ହୋଇଥିଲେ ।
କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ସମୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଉଭୟ ପକ୍ଷ ପର୍ଯ୍ୟାୟକ୍ରମେ ନିଜ ନିଜ ସୀମାକୁ ଫେରିଯାଇଛନ୍ତି | 4ଓ 5 ଅଗଷ୍ଟରେ ହୋଇଛି ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା | ଉଭୟ ପକ୍ଷ ବର୍ତ୍ତମାନ ନିଜ ନିଜ ସୀମା ଭିତ୍ତିରେ ରହିଥିବା ଭାରତୀୟ ସେନା ପକ୍ଷରୁ ଦିଆଯାଇଛି ସୂଚନା ।
ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଜମିଥିବା ତିକ୍ତତାର ବରଫ ଧିରେଧିରେ ତରଳୁଥିବା ନଜର ଆସୁଛି । ଉଭୟ ଭାରତ ଓ ଚୀନ ପୂର୍ବ ଲଦାଖର ଗୋଗରା ହାଇଟ୍ସରୁ ସୈନ୍ୟ ପ୍ରତ୍ୟାହାର କରି ନେଇଥିବାବେଳେ ଖୁବ ଶୀଘ୍ର ହଟସ୍ପ୍ରିଙ୍ଗରେ ମଧ୍ୟ ସମାଧାନର ରାସ୍ତା ମିଳିବ ବୋଲି ଆଶା କରାଯାଇପାରେ । ଗୋଗରା ହାଇଟ ଅଞ୍ଚଳରେ ଦୁଇ ଦେଶର ସେନା ଗତ ବର୍ଷ ମେ ମାସରେ ସାମ୍ନାସାମ୍ନି ହୋଇଥିଲେ । ହେଲେ ଦ୍ବାଦଶ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକରେ ଉଭୟ ସେନା ଏହି ଅଞ୍ଚଳରୁ ପଛୁକୁ ହଟିବା ନେଇ ରାଜି ହୋଇଥିଲେ ।
ଏହାପୂର୍ବରୁ ଫେବୃଆରୀରେ ପୋଙ୍ଗୟାଙ୍ଗ ହ୍ରଦରୁ ହୋଇଥିଲା ସୈନ୍ୟ ପ୍ରତ୍ୟାହାର । ସେବେଠୁ ଗୋଗରା ହାଇଚ୍ସରେ ମଧ୍ୟ ସୈନ୍ୟ ପ୍ରତ୍ୟାହାର ମାମଲା ଅଟକି ରହିଛି । ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସହମତି ପ୍ରକାଶ ପାଇପାରୁନଥିଲା । ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ଖୁବ ଶୀଘ୍ର ଆରମ୍ଭ ହୋଇପାରେ । ଭାରତ ଓ ଚୀନ ମଧ୍ୟରେ ସରିଛି ଦ୍ବାଦଶ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ । ଚୁସୁଲ ଓ ମାଲଡୋରେ ଏହି ବୈଠକ ବସିଥିଲା । ଶନିବାର ହୋଇଥିବା ଏହି ବୈଠକରେ ପୂର୍ବ ଲଦାଖ ସୀମାକୁ ଲାଗିଥିବା ଏଲଏସିର ଗୋଗରା ଓ ହଟ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା । ଜାନୁଆରୀରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଦୁଇ ଦେଶର ସେନାଙ୍କ ମଧ୍ୟରେ ତିକ୍ତତା ରହିଛି ।
ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ପୋଙ୍ଗୟାଙ୍ଗ ହ୍ରଦ ଓ ଫିଙ୍ଗର ଅଞ୍ଚଳରେ ଉଭୟ ପକ୍ଷର ସେନା ନିଜ ନିଜ ଯବାନମାନଙ୍କୁ ପଛକୁ ହଟାଇ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ପୂର୍ବ ଲଦାଖକୁ ଲାଗି ଏଲଏସିର ଅନେକ ଅଞ୍ଚଳରେ ବିବାଦ ରହିଛି । ଗୋଗରା ଓ ହଟସ୍ପ୍ରିଙ୍ଗ ମଧ୍ୟ ବିବାଦିତ ଅଞ୍ଚଳର ଅଂଶ ।