ମୁମ୍ବାଇ: ଗତ ତିନିବର୍ଷ ମଧ୍ୟରେ ମହାରାଷ୍ଟ୍ରରେ କ୍ରମାଗତ ବଢିଛି ବାଲ୍ୟ ବିବାହ ମାମଲା । ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ ଗତ 3 ବର୍ଷ ମଧ୍ୟରେ ପ୍ରାୟ 15,000 ବାଲ୍ୟ ବିବାହ ହୋଇଥିବା ବମ୍ବେ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଛନ୍ତି ମହାରାଷ୍ଟ୍ର ସରକାର । ତେବେ ଏହି ତଥ୍ୟରେ କୋର୍ଟ ଉଦବେଗ ପ୍ରକାଶ କରିବା ସହ ପୁଷ୍ଟିହୀନତା ଏବଂ ଶିଶୁ ମୃତ୍ୟୁହାର ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ।
ଏହି ବାଲ୍ୟ ବିବାହ ମାମଲାକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ବର୍ମା, ବାନ୍ଦୁ ସାନି ଏବଂ ଅନ୍ୟ କିଛି ସାମାଜିକ କର୍ମୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଦାଲତ ଦ୍ୱାରା ଗଠିତ ଏକ ତିନି ଜଣିଆ କମିଟି ବାଲ୍ୟ ବିବାହର ହାର ଅଧିକ ଥିବା 16 ଟି ଆଦିବାସୀ ଜିଲ୍ଲାରେ ସର୍ଭେ କରିଥିଲା । ସର୍ଭେର ତଥ୍ୟ ଅନୁସାରେ, ଗତ ତିନିବର୍ଷ ମଧ୍ୟରେ ଏକାଧିକ ଆଦିବାସୀ ବହୁଳ ଜିଲ୍ଲାରେ ପ୍ରାୟ 15,000 ରୁ ଅଧିକ ବାଲ୍ୟ ବିବାହ ହୋଇଛି ।
ଗତକାଲି (ସୋମବାର) ପ୍ରଧାନ ବିଚାରପତି ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ବିରେନ୍ଦ୍ର ସିଂଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । କୋର୍ଟ କହିଛନ୍ତି, ମେଲଘାଟ ଏବଂ ଅନ୍ୟାନ୍ୟ ଦୁର୍ଗମ ଆଦିବାସୀ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ହେତୁ ଦୈନିକ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଅଟେ । ଏଠାକାର ଅଧିବାସୀମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ସରକାରଙ୍କ ବିଫଳତାକୁ ଦାୟୀ କରିଥିଲେ କୋର୍ଟ ।
ସେହିପରି ରାଜ୍ୟ ସରକାର ମୋଟ ବାଲ୍ୟ ବିବାହର 10 ପ୍ରତିଶତ ବା ମାତ୍ର 1,541 ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛନ୍ତି । ଏପରି ତଥ୍ୟ ସାମ୍ନାକୁ ଆସିବା ପରେ କୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷ ପଦବୀ କାହିଁକି ଦୁଇ ବର୍ଷ ଧରି ଖାଲି ପଡିଛି ବୋଲି ପ୍ରଶ୍ନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ