ହାଇଦ୍ରାବାଦ: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏବେ ପ୍ରାକ ମୌସୁମୀ ପାଣିପାଗ ସ୍ଥିତି ଅନୁକୂଳ ଥିବା କାରଣରୁ ଦକ୍ଷିଣ ବଙ୍ଗୋପସାଗର କ୍ଷେତ୍ରରେ ଆସନ୍ତାମାସ (ମେ’) 5 ତାରିଖ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର । ହେଲେ ଏହା ଲଘୁଚାପରେ ସୀମିତ ରହିବ ନା ସାମୁଦ୍ରିକ ଝଡର ଆକାର ନେବେ ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇନାହିଁ । ତେଣୁ ସମୟ ଅନୁସାରେ ଏହାର ରୂପରେଖ ସ୍ପଷ୍ଟ ହେବା ନେଇ ଡ. ମହାପାତ୍ର କହିଛନ୍ତି ।
ଅନ୍ୟପଟେ ମେ’ ମାସରେ ଦକ୍ଷିଣ ବଙ୍ଗୋପସାଗର ତଥା ଆଣ୍ଡାମାନ ସାଗର କ୍ଷେତ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଶକ୍ତିଶାଳୀ ହେବା ସହ କ୍ରମଶଃ ଅବପାତ, ଗଭୀର ଅବପାତ ଓ ପରେ ସାମୁଦ୍ରିକ ଝଡରେ ପରିଣତ ହେବାର ସାଧାରଣତଃ ଦେଖାଯାଏ । ବିଗତ କିଛି ବର୍ଷ ଗୁଡିକରେ ମେ’ ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥିବା କାରଣରୁ ଏହି ସମ୍ଭାବ୍ୟ ଲଘୁଚାପ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।
ଡ. ମହାପାତ୍ର କହିଛନ୍ତି, ଏବେ ସୁଦ୍ଧା ସମୁଦ୍ରପୃଷ୍ଠର ତାମମାତ୍ରା ଓ ଅନ୍ୟ ଭୌଗଳିକ ଦିଗରୁ କେବଳ 5 ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଏହାର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଏବେ ଠାରୁ କିଛି ଆକଳନ କରିବା ସମ୍ଭବପର ନୁହେଁ । ସେହିପରି ଏହା ସାମୁଦ୍ରିକ ଝଡର ରୂପ ନେବ କି ନାହିଁ, କିମ୍ବା କେଉଁ ଦିଗକୁ ଗତି କରିବ ସେ ନେଇ ମଧ୍ୟ ବର୍ତ୍ତମାନ କିଛି କହିବା ସମ୍ଭବପର ନୁହେଁ । ଏହାକୁ ସମ୍ଭାବ୍ୟ ବାତ୍ୟା ବୋଲି ମଧ୍ୟ ଆଦୌ କୁହାଯାଇ ପାରିବ ନାହିଁ । ତେଣୁ ଏହା ଉପରେ ନଜର ରଖାଯାଇଛି । ଏହାର କ୍ରମବିକାଶରେ ପରବର୍ତ୍ତୀ ପୂର୍ବାକଳନ ପ୍ରକାଶ ପାଇବ । ତେଣୁ ଏବେ ସୁଦ୍ଧା ଭୟଭୀତ ହେବାର କୌଣସି କାରଣ ନାହିଁ । ଏହାର ପରବର୍ତ୍ତୀ ପୂର୍ବାନୁମାନ ଜନସାଧାରଣଙ୍କୁ ଅବଗତ କରିଦିଆଯିବା ନେଇ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଅନ୍ଯପଟେ ପୂର୍ବରୁ ମୌସୁମୀ ଫେରିଯିବା ପରେ ଅକ୍ଟୋବର ଓ ନଭେମ୍ବର ମାସରେ ସୃଷ୍ଟି ହେଉଥିବା ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହେଉଥିବା ବେଳେ ନିକଟ କିଛି ବର୍ଷରେ ମେ‘ ମାସରେ ମଧ୍ୟ ବାତ୍ୟା ହେବାର ନଜିର ରହିଛି । ପ୍ରାକ ମୌସୁମୀ ସ୍ଥିତିରେ ପାଗ ଅନୁକୂଳ ରହୁଥିବାରୁ ସୃଷ୍ଟି ହେଉଥିବା ଲଘୁଚାପ ମଧ୍ୟ ବାତ୍ୟାରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ମେ‘ ମାସରେ ଲଘୁଚାପ ସୃଷ୍ଟି ହେବା ସୂଚନା ମିଳିଲେ ଓଡିଶା ଉପକୂଳରେ ବାତ୍ୟାର ଚର୍ଚ୍ଚା ମଧ୍ୟ ହୁଏ । ହେଲେ ଏହାକୁ ନେଇ ଅଯଥା ଆଶଙ୍କିତ ହେବା ପରିବର୍ତ୍ତେ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବାକୁ ବିଭାଗ ପରାମର୍ଶ ଦେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ