ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଥମଥର ପାଇଁ ବିଜୟ ଧ୍ବଜା ଉଡ଼ାଇଛି ଆମ ଆଦମି ପାର୍ଟି । ଝାଡୁ ଝଡରେ ଧରାଶାୟୀ ହୋଇଛନ୍ତି ହେବିୱେଟ ନେତା । ଭାବି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କର ଇସ୍ତଫାପତ୍ରକୁ ଲୋକସଭା ବାଚସ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ପଞ୍ଜାବର ସଙ୍ଗରୁର୍ ଲୋକସଭା ଆସନରୁ ୨ ଥର ଏମପି ହୋଇଥିବା ଭଗୱନ୍ତ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ।
ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭଗୱନ୍ତ ପ୍ରତିପକ୍ଷକୁ ପରାସ୍ତ କରି ବିପୁଳ ଭୋଟ୍ରେ ବିଜୟ ଲାଭ କରିଛନ୍ତି । ପଞ୍ଜାବବାସୀଙ୍କୁ ସେ କହିଛନ୍ତି ଖୁବଶୀଘ୍ର ସଙ୍ଗରୁର୍ବାସୀଙ୍କ ସ୍ବର ଲୋକସଭାରେ ଶୁଣିବାକୁ ମିଳିବ । ଆପ୍ ପକ୍ଷରୁ ମାର୍ଚ୍ଚ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବେ । ସଙ୍ଗରୁର୍ବାସୀଙ୍କୁ ତାଙ୍କୁ ଭଲପାଇବା ଓ ସ୍ନେହ ଶ୍ରଦ୍ଧା ଦେଇଥିବାରୁ ସେ ସେମାନଙ୍କ ପାଖରେ ଋଣୀ ବୋଲି କହିଛନ୍ତି । ସମଗ୍ର ପଞ୍ଜାବର ସେବା କରିବାକୁ ଲୋକମାନେ ତାଙ୍କୁ ସୁଯୋଗ ଦେଇଛନ୍ତି । ତେବେ କିଛି ମାସ ମଧ୍ୟରେ ସଙ୍ଗରୁର୍ବାସୀଙ୍କ ସ୍ବର ଲୋକସଭାରେ ଶୁଣିବାକୁ ମିଳିବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଭଗୱନ୍ତ ।
ମାର୍ଚ୍ଚ ୧୬ରେ ଖଟକର କଲାଣରେ ଭଗୱନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ଦିନ ସମସ୍ତ ଯୁବକମାନଙ୍କୁ ହଳଦିଆ ପଗଡି ଓ ମହିଳାମାନଙ୍କୁ ହଳଦିଆ ଚାଦର ପିନ୍ଧି ଆସିବାକୁ କହିଛନ୍ତି ଭଗୱନ୍ତ । ୪୮ ବର୍ଷୀୟ ଆପ୍ ନେତା ଭଗୱନ୍ତଙ୍କ ନେତୃତ୍ବରେ ଆପ କଂଗ୍ରେସ ଗଡ ଭାଙ୍ଗି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । କମେଡିଆନରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମାନଙ୍କ ଯାତ୍ରା ସହଜ ନଥିଲା । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନରେ ଆପ ୯୨ଟିରେ ବିଜୟ ଲାଭ କରିଛି । ଧୁରି ବିଧାନସଭା ଆସନ୍ରୁ ଲଢ଼ିଥିବା ଭଗୱନ୍ତ ପ୍ରତିପକ୍ଷ କଂଗ୍ରେସ ପ୍ରତିଦ୍ବନ୍ଦୀ ଦଲଭିର୍ ସିଂଙ୍କୁ ୫୮,୨୦୬ ଭୋଟ୍ରେ ପରାସ୍ତ କରିଛନ୍ତି ।
@ANI