ହାଇଦ୍ରାବାଦ: କୁହାଯାଏ ଯେ, ଲକ୍ଷ୍ୟ ସେହିମାନଙ୍କ ପୂରଣ ହୋଇଥାଏ, ଯେଉଁମାନଙ୍କ ସ୍ବପ୍ନ ଜୀବନ୍ତ । ଅର୍ଥାତ୍, କେବଳ ଡେଣା ଥିଲେ କିଛି ହୋଇନଥାଏ, ଆକାଶରେ ଉଡିବାକୁ ହେଲେ ଦୃଢ ଆତ୍ମବିଶ୍ବାସ ଦରକାର । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ହାଇଦ୍ରାବାଦର ବାସିନ୍ଦା ଗଟ୍ଟିପଲ୍ଲି ଶିବପାଲ । ଅନେକ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ସେ କେବେ ହାର ମାନିନଥିଲେ । ଅଉ ଆଜି ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସେ ହୋଇପାରିଛନ୍ତି ଦେଶର ପ୍ରଥମ ବାମନ(first dwarf to obtain driving license) ।
କେବଳ ଏତିକି ନୁହେଁ, ତାଙ୍କ ନାମ ଲିମକା ବୁକ ଅଫ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି। ଡ୍ରାଇଭିଂ ଶିଖିବା ପାଇଁ ତାଙ୍କ ଶ୍ରେଣୀର ଲୋକମାନେ ଏବେ ତାଙ୍କ ନିକଟକୁ ଆସୁଛନ୍ତି । ଏହି କାରଣରୁ ସେ ଏକ ଡ୍ରାଇଭିଂ ସ୍କୁଲ ଖୋଲିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ତାଙ୍କ ବୟସ 42 ବର୍ଷ ହୋଇଥିବାବେଳେ ଉଚ୍ଚତା ମାତ୍ର 3 ଫୁଟ । ସେହିପରି 2004 ରେ ଜିଲ୍ଲାର ଦିବ୍ୟାଙ୍ଗ ଭାବରେ ଡିଗ୍ରୀ ହାସଲ କରିବାରେ ସେ ପ୍ରଥମ ବ୍ୟକ୍ତି ହୋଇପାରିଥିଲେ ।
ଏହି ସଫଳତା ପାଇଁ ଶିବପାଲଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଛି । ବାମନ ବୋଲି ଲୋକମାନେ ତାଙ୍କୁ ପିଲାଟି ବେଳୁ ବହୁ ପରିହାସ କରୁଥିଲେ କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଟି ବନ୍ଦ। ଶିବପାଲ କୁହନ୍ତି ଯେ, ‘ମୋର ଉଚ୍ଚତା ପାଇଁ ଲୋକମାନେ ମୋତେ ବହୁ ଥଟ୍ଟା କରୁଥିଲେ । କିନ୍ତୁ ଆଜି ମୁଁ ମୋର ନାଁ ଲିମକା ବୁକ ଅଫ ରେକର୍ଡସ ଏବଂ ଅନ୍ୟାନ୍ୟ ରେକର୍ଡ ବୁକରେ ପଞ୍ଜୀକୃତ କରିଛି। ଡ୍ରାଇଭିଂ ଟ୍ରେନିଂ ପାଇଁ ଅନେକ ମଧ୍ୟ ମୋ ପାଖକୁ ଆସୁଛନ୍ତି । ତେଣୁ ମୁଁ ଆସନ୍ତା ବର୍ଷ ଶାରୀରିକ ଭିନ୍ନକ୍ଷମମାନଙ୍କ ପାଇଁ ଏକ ଡ୍ରାଇଭିଂ ସ୍କୁଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛି’ ।
ଦୃଢ ମନୋବଳ ଆଜି ଶିବପାଲଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ଏବେ ସେ ନିଜ ପତ୍ନୀଙ୍କୁ ମଧ୍ୟ ଗାଡି ଚଳାଇବା ଶିଖାଉଛନ୍ତି।
@ANI