ହାଇଦ୍ରାବାଦ: ତେଲେଙ୍ଗାନାର ସିକନ୍ଦରାବାଦ ନିକଟ ମୋହନ ରାଓ କଲୋନୀରେ ଘଟିଛି ଅଘଟଣ । ବନ୍ଧୁଙ୍କ ଉଦ୍ଦେଶ୍ୟରେ ନିଜେ ନିଜେ ଏକ ଭିଡ଼ିଓ ଉତ୍ତୋଳନ କରି ସ୍ବିଗି ବଏ କରିଛନ୍ତି ଆତ୍ମହତ୍ୟା । ତେବେ ଭିଡିଓରେ ମଧ୍ୟ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ପୋଲିସ କହିଛି ।
ମୃତ ବ୍ୟକ୍ତିଙ୍କ ନାମ ହେଉଛି ଅଶୋକ(୨୯) । ସେ ଗତ ୩ ବର୍ଷ ପୂର୍ବେ ବିବାହ କରିଥିଲେ । ଅଶୋକଙ୍କ ପତ୍ନୀ ଓ ପିତାମାତା କୌଣସି କାମରେ ହାଇଦ୍ରାବାଦକୁ ଆସିଥିବାବେଳେ ଏହି ସମୟରେ ସେ ଆତ୍ମହତ୍ୟା କରିଛନ୍ତି । ଅଶୋକ ନିଜ ବନ୍ଧୁ କହ୍ନେୟାଙ୍କ ଉଦ୍ଦେଶ୍ୟରେ ଏହି ଭିଡ଼ିଓ ଆତ୍ମହତ୍ୟା ପୂର୍ବରୁ ପଠାଇଥିଲେ । କିନ୍ତୁ ଭିଡ଼ିଓରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ପରିବାର ବର୍ଗ ଅଶୋକଙ୍କ ଝୁଲନ୍ତା ମୃତଦେହକୁ ଦେଖିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଭିଡ଼ିଓ ଆଧାରରେ ମୃତ୍ୟୁର ରହସ୍ୟ ଖୋଜିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ