ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (RGIA) କ୍ରମାଗତ ତୃତୀୟ ବର୍ଷ ପାଇଁ 2021 ସ୍କାଏଟ୍ରାକ୍ସ(Skytrax) ବିଶ୍ବ ବିମାନବନ୍ଦର ପୁରସ୍କାରରେ 'ଭାରତ ଏବଂ ମଧ୍ୟ ଏସିଆର ସର୍ବୋତ୍ତମ ଆଞ୍ଚଳିକ ବିମାନବନ୍ଦର' ଭାବରେ ବିବେଚିତ ହୋଇଛି । ଏହାସହିତ ବିଶ୍ବର ୧୦୦ ଟି ଶୀର୍ଷ ଏୟାରପୋର୍ଟ ଲିଗ ତାଲିକାରେ ମଧ୍ୟ ବିଭିନ୍ନ କାଟେଗୋରିରେ ପାହ୍ୟା ଡେଇଁଥିବା ଜଣାପଡିଛି ।
ସେଣ୍ଟ୍ରାଲ ଏସିଆ ଓ ଭାରତର ସବୁଠୁ ପରିଷ୍କାର ଏୟାରପୋର୍ଟ ତାଲିକାରେ RGIA ତୃତୀୟ ସ୍ଥାନରେ ରହିଥିବା ବେଳେ ବେଷ୍ଟ ଏୟାରପୋର୍ଟ ଷ୍ଟାଫ ତାଲିକାରେ ୪ର୍ଥ ସ୍ଥାନ ଓ ଏସିଆର ସର୍ବୋତ୍ତମ ଆଞ୍ଚଳିକ ଏୟାରପୋର୍ଟ ତାଲିକାରେ ରହିଛି ୬ଷ୍ଠ ସ୍ଥାନରେ । ବିଶ୍ବର ଶୀର୍ଷ ୧୦୦ ଏୟାରପୋର୍ଟ ତାଲିକା ୨୦୨୧ରେ ସାମଗ୍ରିକ ମାନ୍ୟତାରେ ଏହା ୭୧ ସ୍ଥାନରୁ ୬୪ତମ ସ୍ଥାନରେ ପହଞ୍ଚିଛି । ତେବେ ଏ ସମ୍ପର୍କରେ GMR ହାଇଦ୍ରାବାଦ ଆନ୍ତର୍ଜାତିକ ଏୟାରପୋର୍ଟ ଲିମିଟେଡ଼(GHIAL) ପକ୍ଷରୁ ସୂଚନା ଦିଆଯାଇଛି ।
ହାଇଦ୍ରାବାଦ ଏୟାରପୋର୍ଟରେ ଏହି ସଫଳତାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି GHIALର CEO ପ୍ରଦୀପ ପାନିକର । ଏହି ସଫଳତାର ଶ୍ରେୟ ସେ ଏୟାରପୋର୍ଟ ଷ୍ଟାଫ, ଷ୍ଟେକହୋଲ୍ଡର, ପାର୍ଟନର ଓ ଏୟାରପୋର୍ଟରେ କାମ କରୁଥିବା ପ୍ରତିଟି କର୍ମଚାରୀଙ୍କୁ ଦେଇଛନ୍ତି । କୋରୋନା କାଳରେ ଏଭଳି ସଫଳତା ପାଇବା ପରେ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ଏହି ସଫଳତା ତାଙ୍କୁ ବିମାନଯାତ୍ରୀଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରିବାରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।
ଏହି ତାଲିକାରେ ଦିଲ୍ଲୀ ଏୟାରପୋର୍ଟକୁ ମଧ୍ୟ ସଫଳତା ମିଳିଛି । ହାଇଦ୍ରାବାଦ ଏୟାରପୋର୍ଟ ଆଞ୍ଚଳିକ ଏୟାରପୋର୍ଟ ତାଲିକାରେ ଶୀର୍ଷରେ ରହିଥିବାବେଳେ ଭାରତର ସର୍ବୋତ୍ତମ ଏୟାରପୋର୍ଟ ତାଲିକାରେ ଦିଲ୍ଲୀ ଏୟାରପୋର୍ଟ ଶୀର୍ଷରେ ରହିଛି । ବିଶ୍ବର ଶୀର୍ଷ ୫୦ ଏୟାରପୋର୍ଟ ତାଲିକାରେ ହାଇଦ୍ରାବାଦ ଏୟାରପୋର୍ଟ ୫୦ତମ ନମ୍ବରରୁ ୪୫ରେ ପହଞ୍ଚିଛି । ଭାରତ ଓ ସେଣ୍ଟ୍ରାଲ ଏସିଆରେ ସର୍ବୋତ୍ତମ ଏୟାରପୋର୍ଟ ତାଲିକାରେ ଦିଲ୍ଲୀ ପ୍ରଥମ ଓ ହାଇଦ୍ରାବାଦ ଏୟାରପୋର୍ଟ ୨ୟ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ