ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି ୭୩ତମ ସାଧାରଣତନ୍ତ୍ର ଦିବସ । ଯାହା ପାଇଁ ରାଜଧାନୀ ଦିଲ୍ଲୀରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ବର୍ଷ କୋଭିଡ ସଂକ୍ରମଣ ମଧ୍ୟରେ ବିଗତ ବର୍ଷମାନଙ୍କ ତୂଳନାରେ ଏହି ଦିବସକୁ ସାର୍ବଜନୀନ ଭାବେ ପାଳନ କରିବାରେ ଏକାଧିକ କଟକଣା ଜାରି କରାଯାଇଛି । ସବୁଠୁ କୋଭିଡ ଗାଇଡଲାଇନ ଅନୁପାଳନ କରି କେବଳ ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ କୋଭିଡ କଟକଣା ମଧ୍ୟରେ ଆପଣ ମଧ୍ୟ ଘରେ ରହି ସାଧାରଣତନ୍ତ୍ର ଦିବସ ପାଳନ କରନ୍ତୁ । ନଜର ପକାନ୍ତୁ ଆପଣ ଘରେ ରହି ମଧ୍ୟ କିପରି ପାଳନ କରିବେ ସାଧାରଣତନ୍ତ୍ର ଦିବସ ।
1. ଗଣତନ୍ତ୍ର ଦିବସ ପରେଡ ଦେଖନ୍ତୁ:-
ସାଧାରଣତନ୍ତ୍ର ଦିବସରେ ସାରା ଦେଶର ନଜର ଥାଏ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ସର୍ବଭାରତୀୟ ସ୍ତରର ସାଧାରଣନ୍ତ୍ର ଦିବସ ପାଳନ ଓ ବିଶ୍ବକୁ ଚମକାଇବା ପରି ପରେଡ । ରାଜଧାନୀ ରାଜପଥରେ ଭାରତର ଅଖଣ୍ଡତା, ସାମର୍ଥ, ସାଂସ୍କୃତିକ ବିବିଧତା ଓ ଭାଇଚାରାର ଝଲକ ପ୍ରଦର୍ଶିତ ହୋଇଥାଏ, ଯାହା ପ୍ରତ୍ୟେକ ଭାରତୀୟ ପାଇଁ ଏକ ଗର୍ବିତ କ୍ଷଣ ହୋଇଥାଏ । ତେବେ ଦେଶବ୍ୟାପୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅପେକ୍ଷା ରଖିଥାନ୍ତି । ଆପଣ ମଧ୍ୟ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଘରେ ରହି ଆପଣ ସମ୍ପୂର୍ଣ୍ଣ ପରେଡର ସିଧାପ୍ରସାରଣ ମଧ୍ୟ ଦେଖିପାରିବେ । ତେଣୁ ଘରେ ସୁରକ୍ଷିତ ରହିବା ସାଙ୍ଗକୁ ଆପଣ ସପରିବାର ଜାତୀୟ ପରେଡର ମଜା ନିଅନ୍ତୁ ।
2. ଦେଶାତ୍ମକବୋଧ ଚଳଚ୍ଚିତ୍ର ଦେଖନ୍ତୁ:-
ସାଧାରଣନ୍ତ୍ର ଦିବସରେ ଭାରତର ସ୍ୱାଧୀନତା ଆନ୍ଦୋଳନ, ସଂଗ୍ରାମୀ ତଥା ଯେଉଁମାନେ ଦେଶର ସୁରକ୍ଷା ପାଇଁ ସୀମାରେ ମୂତୟନ ରହିଛନ୍ତି ସେମାନଙ୍କ ବଳିଦାନକୁ ମନେ ପକାଇ ଆମ ଗୌରବମୟ ଇତିହାସ ଓ ଯୋଦ୍ଧାଙ୍କ ବଳିଦାନ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ହୋଇପାରିବା । ଏପରି ଜାତୀୟ ଘଟଣା ଓ ସ୍ବାଧୀନତା ସଂଗ୍ରାମୀ ତଥା ଭାରତୀୟ ସେନାର ସୌର୍ୟ ଓ ବଳିଦାନ ଉପରେ ଆଧାରିତ ଅନେକ ଚଳଚିତ୍ର ମଧ୍ୟ ନିର୍ମାଣ ହୋଇଛି । ତେବେ ଏହି ସବୁ ଚଳଚିତ୍ର ମଧ୍ୟରୁ ଆପଣ ,ଆପଣଙ୍କ ରୁଚି ଅନୁସାରେ କୌଣସି ଗୋଟିଏର ମଜା ମଧ୍ୟ ନେଇପାରିବେ । ବଲିଉଡର ଅନେକ ଦେଶପ୍ରେମୀ ଚଳଚ୍ଚିତ୍ର ଯେପରିକି 'ରାଜି', 'ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍', 'ଚକ ଦେ ଇଣ୍ଡିଆ', 'ଲାଗାନ୍', 'ରଙ୍ଗ ଦେ ବସନ୍ତୀ', 'କେଶରୀ', 'ବର୍ଡର', 'ଏୟାର-ଲିଫ୍ଟ' ଭଳି ଅନେକ ଦେଶପ୍ରେମୀ ଚଳଚ୍ଚିତ୍ର ମଧ୍ୟରୁ ଆପଣ ଗୋଟିଏକୁ ଦେଖିପାରିବେ ।
3. ଦେଶପ୍ରେମୀ ଗୀତ ଶୁଣନ୍ତୁ:-
ଏହି ଜାତୀୟ ଅବସରରେ ମଧ୍ୟ କିଛି ଦେଶପ୍ରମୀ ସଙ୍ଗୀତ ଆପଣ ଶୁଣିପାରିବେ । ଭାରତୀୟ ସିନେମାରେ ଅନେକ ସଙ୍ଗୀତ ଜାତୀୟତାକୁ ଉଦଜିବୀତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । ଆପଣ ଚାହିଁଲେ ସେସବୁର ମଧ୍ୟ ମଜା ନେଇ ପାରିବେ । 'ରାଜି 'ଚଳଚିତ୍ରର ଏ ୱାତନ୍ 'ଏବଂ 'ବର୍ଡର'ର 'ସନ୍ଦେଶ ଆତେ ହୈଁ' ଭଳି ସଙ୍ଗୀତ ଜାତୀୟତାର ଅନୁଭବ କରାଇବାରେ ବେସ ସହାୟକ । ସେହିପରି ‘ଦେଶ ରଙ୍ଗିଲା’, ଭାରତ ହମକୋ ଜାନ ସେ ପ୍ୟାରା ହୈଁ, କେସାରୀ ଚଳଚିତ୍ରର 'ତେରୀ ମିଟି' ସଙ୍ଗୀତର ମଜା ନେଇ ପାରିବେ ।
4. ଆପଣଙ୍କ ଘରକୁ ସଜାନ୍ତୁ:-
ଗଣତନ୍ତ୍ର ଦିବସ ସମସ୍ତ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ ହୋଇଥାଏ । ତେଣୁ ଆପଣଙ୍କର ଘରକୁ ସ୍ୱତନ୍ତ୍ର ଭାବରେ ସଜାନ୍ତୁ । ଘରେ ସାଜସଜ୍ଜା ବେଳେ ଜାତୀୟ ପତାକା ଓ ତ୍ରିରଙ୍ଗାର ରଙ୍ଗକୁ ବ୍ୟବହାର କରିପାରିବେ, ଯାହା ଆପଣଙ୍କୁ ଜାତୀୟତାର ଅନୁଭବ ଦେଇପାରିବ । ରୁମର କାନ୍ଥରେ ତ୍ରିରଙ୍ଗାର ବେଲୁନ୍, ଫୁଲ ଓ ଲାଇଟ ବ୍ୟବହାର କରି ସଜାଇପାରିବେ । ଏହା ବ୍ୟତୀତ, ଆପଣ ସାଧାରଣତନ୍ତ୍ର ଦିବସରେ ମଧ୍ୟ ଜାତୀୟ ବାର୍ତ୍ତା ଓ ରଙ୍ଗୋଲିରେ ଆପଣଙ୍କ ଘରକୁ ସଜାଇ ପାରିବେ ।
5. ଜାତୀୟ ସଂଗୀତ ଗାନ କରନ୍ତୁ:-
ଗଣତନ୍ତ୍ର ଦିବସରେ ଦେଶର ଜାତୀୟ ସଂଗୀତ ଗାନ କରିବା ଜରୁରୀ ଅଟେ । ଜାତୀୟ ଦିବସରେ ଜାତୀୟ ସଙ୍ଗୀତକୁ ଉଚିତ ଭାବେ ସମ୍ମାନ ଦେବା ଆମର ମୌଳିକ ତଥା ସାମ୍ବିଧାନିକ କର୍ତ୍ତବ୍ୟ ମଧ୍ୟ । ତେଣୁ ଆପଣ ଏହି ଅବସରରେ ଜାତୀୟ ସଙ୍ଗୀତ ଉଚିତ ପ୍ରୋଟକଲ ଅନୁସାରେ ଗାନ କରନ୍ତୁ । ଏହିପରି ଭାବେ ଆପଣ ଘରେ ରହି ମଧ୍ୟ ଜାତୀୟ ଦିବସ ପାଳନ କରିପାରିବେ । ଯଥା ସମ୍ଭବ ଭିଡକୁ ଏଡାନ୍ତୁ ଓ ସୁରକ୍ଷିତ ଭାବେ ଘରେ ରହି ସପରିବାର ସାଧାରଣନ୍ତ୍ର ଦିବସ ପାଳନ କରନ୍ତୁ ।
ANI