ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ମୁକାବିଲା ସଂକ୍ରାନ୍ତରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସଞ୍ଚାର, ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ଓଡ଼ିଶା, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ଗୃହ ମନ୍ତ୍ରୀ ଅଂଶଗ୍ରହଣ କରିଥିଲେ । ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ କେରଳର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ହୋଇଥିଲେ ସାମିଲ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ମାଓବାଦ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟମାନଙ୍କର ମିଳିତ ପ୍ରୟାସରେ ବିପୁଳ ସଫଳତା ମିଳିବା ଖୁସିର ବିଷୟ । ଦେଶରେ ବାମପନ୍ଥୀ ଉଗ୍ରବାଦ ଘଟଣା ୨୩ ପ୍ରତିଶତ ହ୍ରାସ ପାଇଛି । ମାଓ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୨୧ ପ୍ରତିଶତ କମିଛି । ବହୁ ଦଶନ୍ଧିର ସଂଘର୍ଷରେ ଆମେ ଏପରି ଏକ ମୋଡ଼ରେ ଛିଡ଼ା ହୋଇଛୁ ଯେଉଁଠି ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ୨୦୦ରୁ କମ ହୋଇଛି । ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଉପଲବ୍ଧି । ମାଓବାଦ କବଳରୁ ମୁକ୍ତ ନହେବା ପର୍ଯ୍ୟନ୍ତ ପ୍ରଭାବିତ ରାଜ୍ୟ ଓ ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ ବୋଲି ବୈଠକରେ କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ବର୍ତ୍ତମାନ ସୁଦ୍ଧା ଆମେ ଯାହା ହାସଲ କରିଛୁ ସେଥିରେ ସନ୍ତୁଷ୍ଟ ନହୋଇ ଯାହା କରିବାର ଅଛି ସେଥିପାଇଁ ପ୍ରୟାସ ବୃଦ୍ଧି କରିବା ନିମନ୍ତେ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବାମପନ୍ଥୀ ଉଗ୍ରବାଦ ପ୍ରବଣ ରାଜ୍ୟମାନଙ୍କର ବିକାଶ ଲାଗି ଭାରତ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।
ମାଓବାଦ ଯୋଗୁଁ ପ୍ରଭାବିତ ରାଜ୍ୟମାନଙ୍କର ବିକାଶ ନିମନ୍ତେ, ଭାରତ ସରକାର ବହୁ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୧୭ ହଜାର ୬୦୦ କିମି ସଡ଼କ ନିର୍ମାଣକୁ ମଞ୍ଜୁରି ମିଳିଥିବା ବେଳେ ୯ ହଜାର ୩୪୩ କିମି ସଡ଼କ ବର୍ତ୍ତମାନ ସୁଦ୍ଧା ନିର୍ମାଣ କରାଯାଇସାରିଲାଣି । ଦୂରସଞ୍ଚାର ସେବାରେ ସୁଧାର ପାଇଁ ୨୩୪୩ଟି ନୂଆ ମୋବାଇଲ ଟାଓ୍ବାର ସ୍ଥାପନ କରାଯାଇଛି । ଆଗାମୀ ୧୮ ମାସ ମଧ୍ୟରେ ଆହୁରି ୨୫୪୨ ଟାଓ୍ବାର ସ୍ଥାପନ କରାଯିବ । ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ ଲୋକମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତିକରଣ ନିମନ୍ତେ ୧୭୮୯ଟି ଡାକଘର, ୧୨୩୬ ବ୍ୟାଙ୍କ ଶାଖା, ୧୦୭୭ ଏଟିଏମ ସ୍ଥାପନ କରାଯିବା ୧୪,୨୩୦ ବ୍ୟାଙ୍କ ପ୍ରତିନିଧି ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ଏକ ବର୍ଷ ମଧ୍ୟରେ ୩୧୧୪ଟି ଡାକ ଘର ଖୋଲାଯିବ । ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇ, ୨୩୪ଟି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରି ମିଳିଥିବା ବେଳେ ୧୧୯ଟି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇସାରିଛି । ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ ୨୬୯୮.୨୪ କୋଟି ଟଙ୍କାର ୧୦ ହଜାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଏଥିମଧ୍ୟରୁ ୮୦ ପ୍ରତିଶତ ପ୍ରକଳ୍ପ ଶେଷ ହୋଇସାରିଛି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାଓ ପ୍ରବଣ ଜିଲ୍ଲାଗୁଡ଼ିକର ବର୍ଗୀକରଣ କରାଯାଇ ସେମାନଙ୍କୁ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ଯୋଜନାରେ ସାମିଲ କରାଯାଇ ସମ୍ବଳ ଯୋଗାଇ ଦିଆଯାଉଛି । ଏସବୁ ପଦକ୍ଷେପ ଫଳରେ ଗତ କିଛି ବର୍ଷ ହେବ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଭୌଗଳିକ କ୍ଷେତ୍ର ଏବଂ ହିଂସା ଘଟଣା ହ୍ରାସ ପାଇଛି । ୨୦୦୯ରେ ୨୨୫୮ଟି ମାଓ ହିଂସା ଘଟଣା ଦେଖିବାକୁ ମିଳିଥିବା ବେଳେ ଏଥିରେ ୭୦ ପ୍ରତିଶତ ହ୍ରାସ ପାଇ ୨୦୨୦ରେ ମାତ୍ର ୬୬୫ଟି ଘଟଣା ଘଟିଛି । ସେହିପରି ମୃତ୍ୟୁ ସଂଖ୍ୟା ୨୦୧୦ରେ ୧୦୦୫ ଥିବା ବେଳେ ଏହା ୮୨ ପ୍ରତିଶତ ହ୍ରାସ ପାଇ ୨୦୨୦ରେ ୧୮୩ ହୋଇଯାଇଛି । ୨୦୧୦ରେ ଦେଶରେ ୯୬ଟି ଜିଲ୍ଲା ମାଓ ପ୍ରବଣ ଥିବାବେଳେ ୨୦୨୦ରେ ଏହା ହ୍ରାସ ପାଇ ୫୩ ଜିଲ୍ଲାରେ ସୀମିତ ରହିଛି ।
ରାଜନୈତିକ ଦଳଗୁଡ଼ିକ ପ୍ରତି ଧ୍ୟାନ ନଦେଇ ଲଗାତାର ଦୁଇଟି ମୋର୍ଚ୍ଚାରେ ଭାରତରେ ସରକାର ଲଢ଼େଇ ଜାରି ରଖିଛନ୍ତି । ଅସ୍ତ୍ର ତ୍ୟାଗ କରି ଗଣତନ୍ତ୍ରରେ ସାମିଲ ହେବାକୁ ଚାହୁଁଥିବା ଲୋକମାନଙ୍କୁ ସ୍ବାଗତ କରାଯାଉଛି । କିନ୍ତୁ ଅସ୍ତ୍ର ଉଠାଇ ନିର୍ଦ୍ଦୋଷ ଜନସାଧାରଣ ଏବଂ ପୁଲିସ କର୍ମୀଙ୍କୁ କ୍ଷତି ପହଁଚାଉଥିବା ଲୋକଙ୍କୁ ଦୃଢ଼ ଜବାବ ଦିଆଯିବ । ସ୍ବାଧୀନତାର ୬ ଦଶନ୍ଧି ପରେ ବିକାଶ ପହଞ୍ଚି ନପାରିବା ଅସନ୍ତୋଷର ମୂଳ କାରଣ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିକାଶ ଜାରି ରହିଛି । ନକ୍ସଲମାନେ ବୁଝିସାରିଛନ୍ତି ଯେ ବିକାଶ ହେଲେ ନିର୍ଦ୍ଦୋଷ ଲୋକମାନେ ସେମାନଙ୍କ କଥା ଶୁଣିବେ ନାହିଁ । ତେଣୁ ବାମପନ୍ଥୀ ଉଗ୍ରବାଦ ସମସ୍ୟାର ମୁକାବିଲା ଲାଗି ବିକାଶର ଗତି ତ୍ବରାନ୍ବିତ କରିବାର ଅତ୍ୟନ୍ତ ଜରୁରି ବୋଲି ସେ କହିଛନ୍ତି ।
ମାଓବାଦ ମୁକାବିଲା ନିମନ୍ତେ ପ୍ରଭାବିତ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଏବଂ କେନ୍ଦ୍ରୀୟ ଏଜେନ୍ସି ଅଧିକାରୀ ମାନଙ୍କ ମଧ୍ୟରେ ପ୍ରତି ତିନି ମାସରେ ଥରେ ବୈଠକ ଆୟୋଜନ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଗୃହମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ନଥିବା ଓଡ଼ିଶା, ଛତିଶଗଡ଼ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ସୁରକ୍ଷା ଶିବିରଗୁଡ଼ିକୁ ବୃଦ୍ଧି କରାଯିବା ପ୍ରୟାସରେ ବିପୁଳ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସ୍ତରରେ ନିୟମିତ ବୈଠକ ହେଲେ ତଳ ସ୍ତରରେ ସମନ୍ବୟ ସମସ୍ୟା ଆପେ ଆପେ ଦୂର ହୋଇଯିବ । ଗତ ୪୦ ବର୍ଷ ଧରି ଯେଉଁ ସମସ୍ୟା କାରଣରୁ ୧୬ ହଜାର ଲୋକଙ୍କ ଜୀବନ ଯାଇଛି । ତାହା ଏବେ ସମାପ୍ତିର ଦ୍ବାରଦେଶରେ ପହଞ୍ଚିଛି । ଏହି ସମସ୍ୟା ବିରୋଧରେ ମୁକାବିଲାକୁ ସୁଦୃଢ଼ କରିବା ଏବଂ ଲଢ଼େଇକୁ ନିର୍ଣ୍ଣାୟକ କରିବାର ଆବଶ୍ୟକତା ରହିଛି ।
ଭାରତ ସରକାର ନିକଟରେ ବହୁ ମାଓ ସଂଗଠନର ସଦସ୍ୟ, ବିଶେଷ କରି ଉତ୍ତର-ପୂର୍ବାଞ୍ଚଳର ଉଗ୍ରବାଦୀ ଗୋଷ୍ଠୀଗୁଡିକୁ ଅସ୍ତ୍ର ତ୍ୟାଗ କରିବା ନିମନ୍ତେ ରାଜି କରାଇବାରେ ସଫଳ ହୋଇଛନ୍ତି । ଏବେ ସୁଦ୍ଧା ୧୬ ହଜାର କ୍ୟାଡର ସମାଜର ମୁଖ୍ୟଧାରାକୁ ଫେରିଛନ୍ତି । ରାଜ୍ୟ ପ୍ରଶାସନ ସକ୍ରିୟ ଭାବେ କେନ୍ଦ୍ରୀୟ ବାହିନୀ ସହିତ ସମନ୍ବୟ ସ୍ଥାପନ କରିବା ଆବଶ୍ୟକ । କେନ୍ଦ୍ରୀୟ ବାହିନୀ ମୁତୟନ ଲାଗି ରାଜ୍ୟମାନଙ୍କର ଦାବି ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ମାନଙ୍କ ମୁତୟନ ପାଇଁ ରାଜ୍ୟମାନଙ୍କୁ ଦେବାକୁ ପଡ଼ୁଥିବା ସ୍ଥାୟୀ ଖର୍ଚ୍ଚ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରାଯାଇଛି । 2018-19 ତୁଳନାରେ 2019-20ରେ ସିଏପିଏଫ ମୁତୟନ ବାବଦରେ ହେଉଥିବା ରାଜ୍ୟଗୁଡ଼ିକର ଖର୍ଚ୍ଚ ପାଖାପାଖି 2900 କୋଟି ଟଙ୍କା ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ ନିୟମିତ ଏହାର ସମୀକ୍ଷା କରୁଛନ୍ତି ଏବଂ ଆମର ମାର୍ଗଦର୍ଶନ କରୁଛନ୍ତି ।
ବାମପନ୍ଥୀ ଉଗ୍ରବାଦୀମାନଙ୍କର ଆୟର ଉତ୍ସକୁ ଅକାମୀ କରିବାର ଆବଶ୍ୟକତା ରହିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଆଗାମୀ ଗୋଟିଏ ବର୍ଷ ପାଇଁ ବାମପନ୍ଥୀ ଉଗ୍ରବାଦ ସମସ୍ୟାକୁ ପ୍ରାଥମିକତା ଦେବା ଲାଗି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ବହୁ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଏକ ଜଟିଳ ସୁରକ୍ଷା ସମସ୍ୟା ହୋଇ ରହିଆସିଛି । ଏହା ମୁଖ୍ୟତଃ ଏକ ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସମସ୍ୟାର ସାମଗ୍ରିକ ମୁକାବିଲା ନିମନ୍ତେ ୨୦୧୫ଠାରୁ ଏକ ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଗରିବ ଏବଂ ଅସହାୟଙ୍କ କଲ୍ୟାଣ ନିମନ୍ତେ ବିକାଶମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ