ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ରୋକ ସତ୍ତ୍ବେ ନିଜ ରାୟରେ ଅଟଳ ରହିଛି ବମ୍ବେ ହାଇକୋର୍ଟ । ଯୌନ ଶୋଷଣ ମାମଲାରେ ପୁଣି ବମ୍ବେ ହାଇକୋର୍ଟ ଶୁଣାଇଛନ୍ତି ଅଜବ ରାୟ । ନାବାଳିକାର ହାତ ଧରିବା ଏବଂ ତା’ ପ୍ୟାଣ୍ଟ ଚେନ ଖୋଲିବା ଯୌନ ଶୋଷଣ ନୁହେଁ ବୋଲି କହିଛନ୍ତି କୋର୍ଟ । ତେବେ ଏହା ପୋକ୍ସୋ ଆଇନ ଅଧିନରେ ମଧ୍ୟ ଆସୁନଥିବା ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି ।
ନାବାଳିକାର ହାତ ଧରିବା ଏବଂ ତା’ ପ୍ୟାଣ୍ଟର ଚେନ ଖୋଲିବାକୁ ଯୌନ ଶୋଷଣ ନୁହେଁ ବରଂ ଆଇପିସି ଧାରା 354-A(1)(i) ଅନ୍ତର୍ଗତ ଯୌନ ନିର୍ଯ୍ୟାତନା ତଥା ଉତ୍ପୀଡନ ବୋଲି ଧରାଯିବ । ଏହି ରାୟ ଜଷ୍ଟିସ ପୁଷ୍ପା ଗନେଡିୱାଲାଙ୍କ ଏକକ ବେଞ୍ଚ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା 50 ବର୍ଷ ବୟସ୍କ ବ୍ୟକ୍ତି 5 ବର୍ଷର ଜଣେ ଶିଶୁକୁ ଅସଦାଚରଣ କରିଥିବା ଅଭିଯୋଗରେ ଶୁଣାଯାଇଛି ।
ଏହି ମାମଲାରେ ପୀଡିତାର ବୟସ 12 ବର୍ଷରୁ କମ ହୋଇଥିବାରୁ ସେସନ କୋର୍ଟ ଏହାକୁ ପୋକ୍ସୋ ଆଇନ-10 ଅନ୍ତର୍ଗତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି 5 ବର୍ଷର ସଶ୍ରମ କାରାଦଣ୍ଡ ସହ 25 ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ ।
ଏହାପୂର୍ବରୁ ଆଉ ଏକ ରାୟରେ ଏହି ସମାନ ବିଚାରପତି କହିଥିଲେ ଯେ ସ୍କିନ ଟୁ ସ୍କିନ ସ୍ପର୍ଶ ହୋଇନାହିଁ ତେବେ ଏହାକୁ ଯୌନ ଶୋଷଣର ଆଖ୍ୟା ଦିଆଯାଇପାରିବ ନାହିଁ । ବମ୍ବେ ହାଇକୋର୍ଟଙ୍କ ଏହି ରାୟ ଉପରେ ତମାମ ସୋସିଆଲ ମିଡିଆରେ ଆଲୋଚନା ହୋଇଥିଲା । ତେବେ ଯୌନଶୋଷଣ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ ।