ସିମଲା: ହିମାଚଳପ୍ରଦେଶରେ ବଡ ଦୁର୍ଘଟଣା । କିନୌରରେ ଭୁସ୍ଖଳନ ଯୋଗୁଁ ଭଗ୍ନାବଶେଷ ତଳେ ଦବି ରହିଛି ଯାତ୍ରୀ ଭର୍ତ୍ତି ବସ । ନିଗୋସାରୀ ଓ ଚୌରା ମଝିରେ ଅଚାନକ ପାହାଡର ଏକ ବଡ ଅଂଶ ଭାଙ୍ଗିଯିବା ଯୋଗୁଁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୨୫ରୁ ୩୦ ଯାତ୍ରୀ ନିଖୋଜ ଅଛନ୍ତି । ବର୍ତ୍ତମାନସୁଦ୍ଧା ୧୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ବସ୍ରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ସେପଟେ ୧୪ ଜଣ ଆହତଙ୍କୁ ଉଦ୍ଧାର କରାଯାଇଥିବାବେଳେ ନିଖୋଜଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । କିନୌର ଜିଲ୍ଲାର ଚୌରା ସ୍ଥିତ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଛାତି ଥରାଉଛି ଦୁର୍ଘଟଣାରୁ ବର୍ତ୍ତିଥିବା ବସ୍ ଡ୍ରାଇଭରର ବୟାନ । ଡ୍ରାଇଭରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଯୋଗୁଁ ଆଖପାଖରେ ଥିବା କିଛି କାର ସତଲେଜ ନଦୀରେ ପଡିଛନ୍ତି ।
ଭାରତୀୟ ସେନାର ଯବାନ ଓ NDRF ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଯେଉଁ ବସ୍ ଫସିଛି ତାହା ହିମାଚଳ ରୋଡୱେଜର ବୋଲି ଜଣାପଡିଛି । ଏଥିରେ ୪୦ ଯାତ୍ରୀ ଯାତ୍ରା କରୁଥିଲେ ।
ITBP ଡିଜିଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଫୋନରେ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ସୂଚନା ନେଇଛନ୍ତି । ଏହାସହ ITBP ଡିଜିଙ୍କୁ ଭେଟି ତତ୍କାଳ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।
ଆଲର୍ଟ ରହିଛି NDRF
ବସ୍ରେ କେତେ ଯାତ୍ରୀ ଥିଲେ ଏନେଇ ଜାଣିବାକୁ ପ୍ରୟାସ କରାଯାଉଛି । ଏଥିପାଇଁ କେଉଁ ସ୍ଥାନରୁ ବସ ଯାତ୍ରା ଆରମ୍ଭ କରିଥିଲା, ଏଥିରେ ଯେଉଁ ଯାତ୍ରୀଥିଲେ ସେମାନଙ୍କ ଲିଷ୍ଟ୍ ମଗାଯାଇଛି । ସେପଟେ NDRF ଓ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ଅଛନ୍ତି ।
କ୍ରମାଗତ ପାହାଡରୁ ଧସୁଛି ମାଟି
ଦୁର୍ଘଟଣାଗ୍ରସ୍ତ ବସ୍ଟି କିନୌରରୁ ସିମଲା ଯାତ୍ରା କରୁଥିଲା । ଦୁର୍ଘଟଣାପରେ କ୍ରମାଗ ପାହାଡରୁ ପଥର ଆଉ ମାଟି ଧସୁଛି । ଏଥିଯୋଗୁଁ ଉଦ୍ଧାର କାର୍ଯ୍ୟରେ ଉପୁଜୁଛି ବାଧା । ଘଟଣାସ୍ଥଳରୁ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ବେଶ ଭୟାବହ ରହିଛି ।