ଲକ୍ଷ୍ନୌ: ଆଜି ପୁଣି ବାରାଣାସୀ କୋର୍ଟରେ ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣି ହେବ (Gyanvapi mosque case to resume today) । ପୂର୍ବରୁ ଏହି ମାମଲାର ଶେଷତମ ଶୁଣାଣି ମେ’ 30 ରେ ହୋଇଥିଲା । ଶେଷ ତାରିଖରେ କୋର୍ଟ ମୁସଲିମ ପକ୍ଷ ରଖୁଥିବା ଅଞ୍ଜୁମାନ ଇନ୍ତିଜାମିଆ ମସଜିଦ କମିଟିର ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣି ଜୁଲାଇ 4 ତାରିଖରେ ହେବା ନେଇ ଧାର୍ଯ୍ୟ କରିଥିଲେେ । ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ହରିଶଙ୍କର ଜୈନ କହିଛନ୍ତି, ହିନ୍ଦୁ ପକ୍ଷ ସେଠାରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ଦେବା ପାଇଁ କୋର୍ଟଙ୍କ ନିକଟରେ ଦାବି ରଖିସାରିଛି ।
ଜଣେ ହିନ୍ଦୁ ମହିଳା ଦାଖଲ କରିଥିବା ଆବେଦନକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଞ୍ଜୁମାନ ଇନ୍ତିଜାମିଆ ମସଜିଦ କମିଟି । ଏହି ଆବେଦନର ଶୁଣାଣିକୁ ଜୁଲାଇ 4 ତରିଖ (ଆଜି) ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ କୋର୍ଟ । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଶୁଣାଣି ବାରାଣାସୀ କୋର୍ଟରେ ଜାରି ରହିଛି । ପୂର୍ବରୁ ଏକାଧିକ ଶୁଣାଣି ହୋଇ ସାରିଥିଲେ ସୁଦ୍ଧା ଉଭୟ ପକ୍ଷ କୌଣସି ସମାଧାନରେ ପହଞ୍ଚି ପାରିନାହାନ୍ତି । ମସଜିଦ ପରିସରରେ ଭିଡିଓଗ୍ରାଫି ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିପାଇଁ ଖଣ୍ଡପୀଠ କୋର୍ଟ କମିଶନ ମଧ୍ୟ ଗଠନ କରିଥିଲା । କମିଶନ 3 ଦିନି ଭିଡିଓ ଗ୍ରାଫି ସର୍ଭେ ଶେଷ କରି କୋର୍ଟଙ୍କ ନିକଟରେ ଦାଖଲ ମଧ୍ୟ କରିସାରିଛନ୍ତି । ପ୍ରଥମ ଦିନରୁ କୋର୍ଟଙ୍କ ଭିଡିଓ ଗ୍ରାଫି ସର୍ଭେ ନିର୍ଦ୍ଦେଶକୁ ବିରୋଧ କରିଆସୁଛି ଇସଲାମ ପକ୍ଷ ।
ତେବେ ଭିଡିଓଗ୍ରାଫି ସର୍ଭେ ବେଳେ ମସଜିଦ ମଧ୍ୟରେ ଏକ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରିଆସୁଛନ୍ତି । ମୁସଲିମ ପକ୍ଷ ଏହା ଶିବଲିଙ୍ଗ ନୁହେଁ ବରଂ ଏକ ଓ୍ବାଟର ଫାଉଣ୍ଟେନ ବୋଲି କହୁଛି । ଏହାରି ମଧ୍ୟରେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ସର୍ବୋଚ୍ଚ କୋର୍ଟ ବାରାଣାସୀ କୋର୍ଟରେ ଶୁଣାଣି ହେବା ନେଇ ନିର୍ଦ୍ଦେଶ ଦେଇଥିଲେ । ତେବେ କିଛି ଦିନ ସ୍ଥଗିତ ରହିବା ପରେ ଆଜି ପୁଣି ଏହି ମାମଲାର ପୁନଃ ଶୁଣାଣି ହେବା ପାଇଁ ଯାଉଛି । ଆଜିର କୋର୍ଟଙ୍କ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ