ବେଙ୍ଗାଲୁରୁ: ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା କରି ପ୍ରଧାନଶିକ୍ଷକ ନିଲମ୍ବିତ । ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା କରିବା ଭାରି ପଡ଼ିଛି ପ୍ରଧାନଶିକ୍ଷକଙ୍କୁ । ପ୍ରଧାନଶିକ୍ଷକ ଏକ ସରକାରୀ ହାଇସ୍କୁଲରେ ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିଥିଲେ । ଏଥିଯୋଗୁଁ ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକ ଗାଡ଼ାଗ ଜିଲ୍ଲାରେ ।
ସୂଚନା ଅନୁସାରେ କର୍ଣ୍ଣାଟକ ଗାଡ଼ାଗ ଜିଲ୍ଲା ନାଗାଭି ଗାଁର ଏକ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଫେଟ ମହମ୍ମଦଙ୍କ ଉପରେ ପ୍ରବନ୍ଧ ଲେଖିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଘଟଣାଟି ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାଇଥିଲା । ପରେ ଶିକ୍ଷା ବିଭାଗ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ କର୍ଣ୍ଣାଟକ ପବ୍ଲିକ ଏଜୁକେଶନ ଡିପାର୍ଟମେଣ୍ଟର ଅତିରିକ୍ତ କମିଶନର ସିଦ୍ଦରାମାପ୍ପା ଏସ୍. ବିରାଦରା ହାଇସ୍କୁଲର ପ୍ରଧାନଶିକ୍ଷକ ଅବଦୁଲ ମୁନାଫ ବିଜାପୁରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।
ଏ ସମ୍ପର୍କରେ ଶିକ୍ଷା ବିଭାଗର ଅତିରିକ୍ତ କମିଶନର କହିଛନ୍ତି, '' ସେ ଜଣେ ଦାୟୀତ୍ବ ସମ୍ପନ୍ନ ବ୍ୟକ୍ତି । ତେବେ ପ୍ରାଥମିକ ତଦନ୍ତ ବେଳେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା । ଏଣୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ନେଇ ନିର୍ଦ୍ଦେଶ ଦିଆଯାଇଛି । ''
ପ୍ରଧାନଶିକ୍ଷକ ଅବଦୁଲ ମୁନାଫ ବିଜାପୁର କହିଛନ୍ତି, ''ଗାଡ଼ାଗ ଜିଲ୍ଲାର ଜୁନେଦ ସାବ ଉମାଚାଗି ନାମକ ଜଣେ ବ୍ୟକ୍ତି ସ୍କୁଲକୁ ଆସିଥିଲେ । ସ୍କୁଲରେ ପ୍ରଫେଟ ମହମ୍ମଦଙ୍କ ପୁସ୍ତକ ବାଣ୍ଟି ଭଲ ଭାବରେ ପଢ଼ିବାକୁ ପିଲାଙ୍କୁ କହିଥିଲେ । ବହି ପଢ଼ିସାରିଲା ପରେ ପ୍ରଫେଟ ମହମ୍ମଦଙ୍କ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ନେଇ ପିଲାଙ୍କୁ କହିଥିଲେ । ଏହାସହ ପ୍ରବନ୍ଧ ପ୍ରତିଯୋଗିତାରେ ଯେଉଁ ବିଦ୍ୟାର୍ଥୀ ସଫଳ ହେବେ ତାଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ । ପିଲାମାନେ ବହିକୁ ନେଇ ଘରକୁ ଯିବା ପରେ ଅଭିଭାବକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।’’ ଏହି ଖବରକୁ ନେଇ ଶ୍ରୀରାମ ସେନା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା ।
ତେଣୁ କେଉଁ ବ୍ୟକ୍ତି ହାଇସ୍କୁଲକୁ ଯାଇଥିଲେ ଏବଂ କାହା ପରାମର୍ଶରେ ପ୍ରଧାନଶିକ୍ଷକ ତାଙ୍କ ଠାରୁ ପୁସ୍ତକ ଗ୍ରହଣ କରିଥିଲେ ବୋଲି ଶ୍ରୀରାମ ସେନା ପଚାରିଛି । ଏହି ଘଟଣା ପରେ ପ୍ରଧାନଶିକ୍ଷକ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଏନେଇ ଖବରପାଇ ଗ୍ରାମୀଣ ଥାନା ପୋଲିସ ଏବଂ ବିଇଓ ପାନ୍ଥିମାନି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ