ନୂଆଦିଲ୍ଲୀ: କ୍ୟାବିନେଟରୁ ବିଦା ହୋଇଥିବା ହେଭିୱେଟ ମନ୍ତ୍ରୀମାନଙ୍କୁ ସରକାରୀ ବଙ୍ଗଳା ଛାଡିବା ପାଇଁ କୁହାଯାଇଛି । ଏହା ବଦଳରେ ତାଙ୍କୁ ଅନ୍ୟ ଘର ଖୋଜିବା ପାଇଁ ନୋଟିସ ହୋଇଛି । ନୂଆ ନୂଆ ମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୨୭ ସଫଦରଜଙ୍ଗ ରୋଡରେ ଥିବା ବଙ୍ଗଳା ଆବଣ୍ଟିତ କରାଯାଇଛି । ଏହି ବଙ୍ଗଳାରେ ବର୍ତ୍ତମାନ ପୂର୍ବ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ରହୁଛନ୍ତି । ପୂର୍ବ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ସଦାନନ୍ଦ ଗୌଡା ଏବଂ ପ୍ରକାଶ ଜାଭେଡକରଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଠାଯାଇଛି ନୋଟିସ ।

କ୍ୟାବିନେଟ ମନ୍ତ୍ରୀଙ୍କୁ ଲୁଟିୟନ୍ସ ଜୋନରେ ଟାଇପ୍-୮ ବଙ୍ଗଳା ଆବଣ୍ଟନ କରାଯାଇଥାଏ । ଯାହା ପାଖାପାଖି ୩ ଏକର ଜାଗା ମଧ୍ୟରେ ସୀମିତ । ଏହି ବଙ୍ଗଳାରେ ପ୍ରାୟତଃ ୮ଟି କୋଠରୀ ରହିଥାଏ । ମନ୍ତ୍ରୀ ପଦରୁ ହଟିଯିବା ପରେ ଏହି ବଙ୍ଗଳା ଖାଲି କରିବାକୁ ପ୍ରାବଧାନ ରହିଛି । ସହରୀ ବିକାଶ ମନ୍ତ୍ରଣାଳୟର Estates Department ଏହାର ରକ୍ଷଣାବେକ୍ଷଣା କରିଥାଏ । ଏହି ବଙ୍ଗଳାର ଆବଣ୍ଟନ ସଂସଦର ଆବାସ ସମିତି(Residential Committee)କରିଥାଏ ।

ଡ. ହର୍ଷବର୍ଦ୍ଧନଙ୍କ ନାଁରେ ୮-୩୦ ଜାନୁୟାରୀ ମାର୍ଗରେ ବଙ୍ଗଳା ରହିଛି । ସେହିପରି ରମେଶ ପୋଖରିଆଲଙ୍କୁ ୨୭-ସଫଦରଜଙ୍ଗ ରୋଡରେ ବଙ୍ଗଳା ମିଳିଛି । ଏହି ବଙ୍ଗଳା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଧବରାଓ ସିନ୍ଧିଆଙ୍କ ନାଁରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଆବଣ୍ଟିତ ହୋଇ ରହିଥିଲା । ଏହି ବଙ୍ଗଳା ପ୍ରତି ତାଙ୍କ ପୁଅ ବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଅହେତୁକ ଦୁର୍ବଳତା ଥିଲା । ସୁତ୍ରାନୁସାରେ ଟାଇପ୍-୮ର ଏହି ବଙ୍ଗଳାର ଆବଣ୍ଟନ ସିନ୍ଧିଆଙ୍କ ନାଁରେ ହୋଇଯାଇଛି । ନିଶଙ୍କଙ୍କୁ ଟାଇପ୍-୭ ବଙ୍ଗଳାକୁ ଯିବାକୁ ବିକଳ୍ପ ମିଳିଛି । ଯାହାର ସେ ହକ୍ଦାର ।

ଏମାନଙ୍କୁ ମଧ୍ୟ ଛାଡିବାକୁ ପଡିବ ବଙ୍ଗଳା:
ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରହି ସାରିଥିବା ଥାବରଚନ୍ଦ ଗେହଲେଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବରେ କରାଯାଇଛି ନିଯୁକ୍ତ । ସେ ମଧ୍ୟ ତାଙ୍କ ବଙ୍ଗଳା ଛାଡି ଦେଇଛନ୍ତି । ୧୨-ଜନପଥ ରୋଡସ୍ଥିତ ପାଶୱାନଙ୍କ ବଙ୍ଗଳାରେ କୌଣସି କ୍ୟାବିନେଟ ସ୍ତରର ମନ୍ତ୍ରୀ ମଧ୍ୟ ରହିପାରିବେ । ବରିଷ୍ଠତା ହିସାବରେ ଦେଖିବାକୁ ଗଲେ ଚିରାଗ ପାଶୱାନ ଏହି ବଙ୍ଗଳାରେ ରହିବା ପାଇଁ ଯୋଗ୍ୟ ନୁହେଁ, କାରଣ ବୟସ ଦୃଷ୍ଟିରୁ ସେ ବହୁତ ସାନ । 6-କୁଶକ ରୋଡସ୍ଥିତ ବଙ୍ଗଳାରେ ପ୍ରକାଶ ଜାଭେଡକର ରୁହନ୍ତି । ଯାହାକୁ ତାଙ୍କୁ ଛାଡିବାକୁ ପଡିବ । ସେହିପରି ପୂର୍ବ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଥମରୁ ହିଁ ଟାଇପ୍-୭ ବଙ୍ଗଳାରେ ରହୁଛନ୍ତି । ଡିବି ସଦାନନ୍ଦ ଗୌଡାଙ୍କୁ ୧-ତ୍ୟାଗରାଜ ମାର୍ଗର ଟାଇପ୍-୮ ବଙ୍ଗଳା ମିଳିଛି । ଯାହାକୁ ତାଙ୍କୁ ଛାଡିବାକୁ ପଡିବ ।

ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ନୋଟିସ ଜାରି ହୋଇଯାଇଛି । ବହୁତ ଶୀଘ୍ର ଦ୍ବିତୀୟ ନୋଟିସ ମଧ୍ୟ ଜାରି କରାଯିବ । ସେ ସମସ୍ତ ମନ୍ତ୍ରୀଙ୍କୁ ଟାଇପ୍-୮ ବଙ୍ଗଳା ଖାଲି କରି ଟାଇପ୍-୭ ବଙ୍ଗଳାକୁ ଯିବା ପାଇଁ କୁହାଯାଇଛି । ଟାଇପ୍-୮ ବଙ୍ଗଳାକୁ ନୂତନ କ୍ୟାବିନେଟ ମନ୍ତ୍ରୀଙ୍କ ନାଁରେ ଆବଣ୍ଟନ କରାଗଲାଣି । ବଙ୍ଗଳା ଖାଲି କରିବାକୁ ବିଳମ୍ବ ହେଲେ ନ୍ୟୁନତମ ଭାବେ ଘର ଭଡା ଦେବାକୁ ପଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ