ମୁମ୍ବାଇ: ଥମିବାର ନାଁ ନେଉନାହିଁ ଅଜାନ ବନାମ ହନୁମାନ ଚାଳିଶା ବିବାଦ । ଆହ୍ବାନ ପାଉ ପାଉ ଆକ୍ସନ ମୁଡରେ ଏମଏନଏସ କର୍ମୀ । ଗତକାଲି (ମଙ୍ଗଳବାର) ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଯେଉଁ ସବୁ ସ୍ଥାନରେ ଲାଉଡ ସ୍ପିକରରେ ଅଜାନ ପଢ଼ା ଯିବ, ସେଠାରେ ଜୋର୍ରେ ହନୁମାନ ଚାଳିଶା ପଢ଼ିବାକୁ ନିଜ ସମର୍ଥକମାନଙ୍କୁ କହିଥିଲେ । ଆଉ ମୁଖିଆଙ୍କ କଥା ମାନି କାମରେ ଲଗାଇଛନ୍ତି ଏମଏନଏସ କର୍ମୀ । ମୁମ୍ବାଇର ଚାରକୋପ ସଞ୍ଜୟ ନଗର ଅଞ୍ଚଳରେ ଏସ ମସଜିଦରେ ଅଜାନ ପଠା ସମୟରେ ଛାତ ଉପରେ MNS ପତାକା ଦେଖାଇ ଜଣେ କର୍ମୀ ଜୋରରେ ହନୁମାନ ଚାଳିଶା ପାଠ କରିଛନ୍ତି ।
ପ୍ରକାଶ ଥାଉ କି, ମଙ୍ଗଳବାର ମସଜିଦରେ ଲାଉଡସ୍ପିକରକୁ ବିରୋଧ କରୁଥିବା ରାଜ ଠାକରେ ନିଜ ସମର୍ଥକମାନଙ୍କୁ ଏକ ନୂଆ ଆହ୍ୱାନ ଦେଇଥିଲେ । ଆଜିଠୁ (ବୁଧବାର) ଯେଉଁ ସବୁ ସ୍ଥାନରେ ଲାଉଡସ୍ପିକରରେ ଅଜାନ ପଢ଼ା ଯିବ, ସେଠାରେ ଜୋର୍ରେ ହନୁମାନ ଚାଳିଶା ପଢ଼ିବାକୁ କହିଥିଲେ ରାଜ ଠାକରେ । ସେ କହିଥିଲେ, “ମୁଁ ସବୁ ହିନ୍ଦୁମାନଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ଯେ ବୁଧବାର ଅର୍ଥାତ ମେ’ ୪ରେ ଆପଣମାନେ ଯଦି ଲାଉଡସ୍ପିକର୍ରେ ଅଜାନ ବାଜୁଥିବା ଶୁଣିବେ, ତା’ହେଲେ ସେହି ସ୍ଥାନରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ପାଠ କରିବେ । ଏପରି କଲେ ହିଁ ସେମାନେ ଲାଉଡସ୍ପିକର ଦ୍ୱାରା ହେଉଥିବା ଅସୁବିଧାକୁ ବୁଝି ପାରିବେ।”
ସେ ଆହୁରି କହିଥିଲେ,“ ଅନେକ ମସଜିଦ ବିନା ଅନୁମତିରେ ଲାଉଡସ୍ପିକର ଲଗାଇଛନ୍ତି । ପଞ୍ଜିକୃତ ହୋଇ ନଥିବା ମସଜିଦରେ ବି ସରକାର ଲାଉଡସ୍ପିକର ଲଗାଇବାକୁ କେମିତି ଅନୁମତି ଦେଲେ ? ଯଦି ସରକାର ଅନୁମତି ଦେଇଛନ୍ତି, ତା’ହେଲେ ହିନ୍ଦୁମାନଙ୍କୁ ମନ୍ଦିରରେ ମଧ୍ୟ ଲାଉଡସ୍ପିକର ଲଗାଇବାକୁ ଅନୁମତି ଦିଆଯାଉ ବୋଲି କହିଥିଲେ ରାଜ ଠାକରେ । MNS ମୁଖିଆଙ୍କ ଆହ୍ବାନ ପାଉ ପାଉ ଆଜି ସକାଳୁ ଅଜାନ ପାଠ ସମୟରେ ଲାଉଡସ୍ପିକରରେ ହନୁମାନ ଚାଳିଶା ପାଠ କରିଛନ୍ତି ଏମଏନଏସ କର୍ମୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ