ଗାନ୍ଧୀନଗର: ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗୀତା ପାଇଁ ବିବାଦରେ ସ୍କୁଲ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଆଦର୍ଶ 'My Ideal Nathuram Godse' ଶୀର୍ଷକରେ ଜଣେ ଛାତ୍ର ଭାଷଣ ଦେଇ ପ୍ରଥମ ପ୍ରତିଯୋଗୀ ଭାବେ ପୁରସ୍କୃତ ପାଇଁ ମନୋନୀତ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ବିବାଦ ଘେରକୁ ଆସିଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ଗୁଜୁରାଟରେ । ଘଟଣା ପ୍ରଘଟ ହେବା ପରେ ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିବା ସହ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁସାର, ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ଯୁବ ବିକାଶ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା (Bal Pratibha Shodh Vaktrutv Spardha)ର ଆୟୋଜନ କରାଯାଇଥିଲା । ତେବେ ୫ ରୁ ୭ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କ ପାଇଁ ‘ନାଥୁରାମ ମୋ ଆଦର୍ଶ’ ଶୀର୍ଷକ ସ୍ଥିର କରାଯାଇଥିଲା । ତେବେ ଜଣେ ପ୍ରତିଯୋଗୀ ରାଷ୍ଟ୍ରପିତା ଗାନ୍ଧୀଙ୍କୁ ତୀବ୍ର ସମୋଲୋଚନା କରିଥିବାବେଳେ ନାଥୁରାମ ଗଡସେଙ୍କୁ ଜଣେ ହିରୋ ଭାବେ ବର୍ଣ୍ଣନା କରିଥିଲେ । ଏହି ପ୍ରତିଯୋଗୀଙ୍କ ବକ୍ତୃତାକୁ ଶ୍ରେଷ୍ଠ ବିବେଚନା କରାଯିବା ସହ ସମ୍ପୃକ୍ତ ଛାତ୍ରଙ୍କୁ ସ୍କୁୁଲ କର୍ତ୍ତୃପକ୍ଷ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ ।
ତେବେ ଏପରି ଘଟଣା ପ୍ରଘଟ ହେବା ପରେ ଏପରି ଆୟୋଜନ ନେଇ ସମ୍ପୃକ୍ତ ବିଭାଗ ଓ ଉକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରାଯାଇଛି । ସ୍କୁଲ କିଛି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଥିବା ମଧ୍ୟ ସୂଚନା ରହିଛି ।
ଗୁଜୁରାଟ କଂଗ୍ରେସ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ମୁଖପାତ୍ର ମନୀଷ ଦୋସି କହିଛନ୍ତି ଯେ ଏହା ଅତ୍ୟନ୍ତ ନିନ୍ଦନୀୟ । ଶିକ୍ଷାନୁଷ୍ଠାନରେ ଗାନ୍ଧିଜୀଙ୍କୁ ଏପରି ବିକୃତ କରି ଚିତ୍ରଣ କରିବା ପିଲାଙ୍କ ଉପରେ କୁପ୍ରଭାବ ପକାଇବ । ସେ ଏପରି ଆୟୋଜନ ପାଇଁ ଆରଏସଏସ ଓ ବିଜେପିକୁ ମଧ୍ୟ ଦାୟୀ କରିବା ସହ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ