ଗାନ୍ଧୀନଗର: ମାନହାନୀ ମାମଲାରେ ତଳ କୋର୍ଟଙ୍କ ଦୋଷୀ ସାବ୍ୟସ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ରାହୁଲ ଗାନ୍ଧୀଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି । ମାମଲାରେ କୌଣସି ପ୍ରକାର ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରିବାକୁ କୋର୍ଟ ମନା କରିବା ସହ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।
‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଯାହାକୁ ରାହୁଲ ପ୍ରଥମେ ସୁରଟ ଶେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ସେଠାରୁ ନିରାଶ ହେବା ପରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିଲା । ରାହୁଲଙ୍କ ଦଣ୍ଡାଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବା ପାଇଁ କୋର୍ଟ ମନା କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି । ସୁରଟ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ 25 ଏପ୍ରିଲରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ।
ମାର୍ଚ୍ଚ 23 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ବହୁଚର୍ଚ୍ଚିତ ‘ମୋଦି ସାଙ୍ଗିଆ’ ମାନହାନୀ ମାମଲାରେ 2 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ଦଣ୍ଡାଦେଶ ପରେ ତୁରନ୍ତ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରାଯାଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡିନଥିଲା । କିନ୍ତୁ ତୁରନ୍ତ ଦଣ୍ଡାଦେଶ ମିଳିବା ପରେ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରି ଦିଆଯାଇଥିଲା । ନିଜ ଦଣ୍ଡାଦେଶ ମାମଲାରେ ରାହୁଲ ଗାନ୍ଧୀ ପ୍ରଥମେ ସୁରଟ ଶେସନ କୋର୍ଟରେ ଆବେଦନ କରିଥିଲେ । ହେଲେ ଶେସନ କୋର୍ଟ ତଳ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବା ପାଇଁ ମନା କରିଦେବା ସହ ପିଟିସନକୁ ଖାରଜ କରିଥିଲେ ।
କୋର୍ଟ କହିଥିଲେ, ଏହି ମନ୍ତବ୍ୟ ଦେବା ସମୟରେ (2019 ରେ) ରାହୁଲ ଗାନ୍ଧୀ ସଂସଦର ସଦସ୍ୟ ତଥା ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳର ସଭାପତି ଥିଲେ । ସେତେବେଳେ ତାଙ୍କର ଭାଷା ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଥିଲା । କାରଣ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ତାଙ୍କ କଥାର ପ୍ରଭାବ ସମାଜରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ତାଙ୍କ କ୍ଷେତ୍ରରେ ଏପରି କରିବା ଆଦୌ ଉଚିତ ନଥିଲା । ଏହି ଟିପ୍ପଣୀ ସହ ରାହୁଲଙ୍କ ପିଟିସନକୁ କୋର୍ଟ ଖାରଜ କରିଦେଇଥିଲେ । ଶେସନ କୋର୍ଟରୁ ନିରାଶ ହେବା ପରେ ରାହୁଲ ଏବେ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି ହେବା ସହ ଅନ୍ତରୀଣ ଅଶ୍ବସ୍ତି ପାଇବାରେ ରାହୁଲ ନିରାଶ ହୋଇଛନ୍ତି । ଗ୍ରୀଷ୍ମ ଛୁଟି ପରେ କୋର୍ଟ ସଂରକ୍ଷିତ ରାୟ ପ୍ରକଶ କରିବେ ।
23 ରେ ଦଣ୍ଡାଦେଶ 24 ରେ ପଦ ରଦ୍ଦ :-
ମାର୍ଚ୍ଚ 23 ରେ ଦଣ୍ଡାଦେଶ ଆସିବା ପରେ ମାର୍ଚ୍ଚ 24 ତାରିଖରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଦିଆଯାଇଥିଲା । ପରେ ତାର ମାତ୍ର 3 ଦିନ ପରେ ତାଙ୍କୁ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ନୋଟିସ ମିଳିଥିଲା । ରାହୁଲ ସାଂସଦ ନିର୍ବାଚିତ ହେବା ପରେ 2005 ରୁଦିଲ୍ଲୀର 12-ତୋଗଲକ ରୋଡରେ ଥିବା ସରକାରୀ ବାସଭବନ ଖାଲି କରି ମା’ ସୋନିଆଙ୍କ ବଙ୍ଗଳାକୁ ଯାଇଥିଲେ । ଏବେ ନିଜ ଦଣ୍ଡାଦେଶ ବରୋଧରେ ନ୍ୟାୟିକ ଲଢେଇ ଲଢୁଥିବା ରାହୁଲ ଗୋଟିଏ ପରେ ଗୋଟିଏ କୋର୍ଟରୁ ନିରାଶ ହେବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ