ଶ୍ରୀହରିକୋଟା/ବେଙ୍ଗାଲୁରୁ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ନୂଆ ଇତିହାସ ଲେଖିବା ପୂର୍ବରୁ ହୋଇଛି ଅସଫଳ । ଆର୍ଥ ଅବର୍ଜବେଶନ ସାଟେଲାଇଟ EOS-3କୁ GSLV-F୧୦ ରକେଟ ଜରିଆରେ ଉତକ୍ଷେପଣ କରାଯାଇଥିଲା । କିନ୍ତୁ ମିଶନ ସଫଳ ହେବାକୁ ୧୦ ସେକେଣ୍ଡ ବାକି ଥିବା ବେଳେ ଏହା ତ୍ରୁଟି ଦେଖାଯାଇଥିଲା ।
ମିଶନର କଣ୍ଟ୍ରୋଲ ସେଣ୍ଟରକୁ ରକେଟର ତୃତୀୟ ଷ୍ଟେଜରେ ଲାଗିଥିବା କ୍ରାୟୋଜନିକ ଇଞ୍ଜିନରୁ ୧୮.୨୯ ମିନିଟରେ ସିଗନାଲ ଓ ଡାଟା ଆସିବା ବନ୍ଦ ହୋଇଯାଇଥିଲା । ତେବେ କିଛି ସମୟର ଅପେକ୍ଷା ସତ୍ତ୍ବେ ଆଉ ଡାଟା ନଆସିବାରୁ ମିଶନ ନିର୍ଦ୍ଦେଶକ ଇସ୍ରୋ ମୁଖ୍ୟ କେ ଶିବନଙ୍କୁ ସୂଚନା ଦେଇଥିଲେ । ଏହାପରେ ଇସ୍ରୋ ମୁଖ୍ୟ କେ ଶିବନ ମିଡିଆ ବକ୍ସକୁ ଆସି କ୍ରାୟୋଜୋନିକ ଇଞ୍ଜିନରେ ଟେକନିକାଲ ଖରାପ ହୋଇଥିବା କହିଥିଲେ । ଯାହା ଦ୍ବାରା ମିଶନ ବିଫଳ ହୋଇଥିବା ଘୋଷଣା କରିଥିଲେ ଶିବନ ।
ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ପରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟର ପରିସର ପୁରା ସ୍ତବ୍ଧ ହୋଇଯାଇଥିଲା । ତେବେ ଇସ୍ରୋ ପକ୍ଷରୁ କୁହାଯାଇଛି ମିଶନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇନାହିଁ । ଆଶିଂକ ବିଫଳ ହୋଇଛି । ଯଦି ମିଶନ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥାନ୍ତା, ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ରଚିଥାନ୍ତା ନୂଆ ଇତିହାସ । ଏହାସହ ସକାଳ ୧୦.୩୦ ପରେ ଏହି ସାଟେଲାଇଟ ଭାରତର ଫଟୋ ଉତ୍ତୋଳନ କରି ପଠାଇଥାନ୍ତା । ଏହି ମିଶନ ଲଞ୍ଚ କରି ଏକାଥରେ ଇସ୍ରୋ ୩ ଟି କାମ କରିଥିଲା ଓ କରିବାକୁ ଯୋଜନା କରିଥିଲା । ପ୍ରଥମତଃ ଜିୟୋ ଅର୍ବିଟରରେ ଆର୍ଥ ଅବର୍ଜବେଶନ ସାଟେଲାଇଟକୁ ସ୍ଥାପନ କରିଥାନ୍ତା । ଦ୍ବିତୀୟରେ ଏହାର ସହଯୋଗରେ ଆଗକୁ ବଡ ବଡ ସାଟେଲାଇଟ ପ୍ରେରଣ ଯୋଜନା । ତୃତୀୟରେ ପ୍ରଥମ ଥର ସାଟେଲାଇଟ ଲଞ୍ଚ ସମୟ ସକାଳକୁ ଚୟନ କରିବା ।
EOS-3 ଆର୍ଥ ଅବର୍ଜବେଶନ ସାଟେଲାଇଟ (Earth observation Satellite)କୁ GSLV-F୧୦ (Geosynchronous satellite Launch Vehicle) ଜରିଆରେ ପ୍ରେରଣ କରାଯାଇଥିଲା । ଏହି ରକେଟ ୫୨ ମିଟର ଲମ୍ବ ଥିବା ବେଳେ ୪୧୪.୭୫ ଟନ ଓଜନ ବହନ କରିନେଇଥିଲା । ଏଥିରେ ୩ଟି ଷ୍ଟେଜ ଥିଲା । ଏହା ୨୫ ଶହ କେଜି ଓଜନର ସାଟେଲାଇଟକୁ ଜିୟୋଟ୍ରାନ୍ସଫର ଅର୍ବିଟ ପର୍ଯ୍ୟନ୍ତ ପହଞ୍ଚାଇବାର ଥିଲା । କେବଳ EOS-3 ସାଟେଲାଇଟର ଓଜନ ଥିଲା ୨୨୬୮ କିଲୋଗ୍ରାମ । ଏହି ସାଟେଲାଇଟ ବର୍ତ୍ତମାନ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସାଟେଲାଇଟ ମଧ୍ୟରେ ସବୁଠାରୁ ଓଜନ ଥିଲା । ଏହା ଜିୟୋଟ୍ରାନ୍ସଫର ଅର୍ବିଟରେ ପହଞ୍ଚିବା ପରେ ଆପେ ଆପେ ଏହା ଅଲଗା ହୋଇ ନିଜ କକ୍ଷପଥର ସ୍ଥାପିତ ହୋଇଥାନ୍ତା ।
ପ୍ରଥମ ଥର ସକାଳ ଲଞ୍ଚ ହୋଇଥିଲା ସାଟେଲାଇଟ...
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପ୍ରଥମ ଥର ପାଇଁ କୌଣସି ସାଟେଲାଇଟ ସକାଳ ସମୟରେ ଲଞ୍ଚ କରିଥିଲା । ଏହା କୌଣସି ମାହେନ୍ଦ୍ରବେଳା ନୁହେଁ ବଂର ବୈଜ୍ଞାନିକ କାରଣ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଅନ୍ତରୀକ୍ଷରେ ଭାରତର CCTV...
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ବର୍ତ୍ତମାନ ସୁଦ୍ଧା ଇସ୍ରୋ ପୃଥିବୀ ଠାରୁ ୩୬ ହଜାର କିମି ଦୂର ସ୍ଥାପିତ କକ୍ଷରେ କୌଣସି ରିମୋଟ ସେନସର ତଥା ଆର୍ଥ ଅବର୍ଜବେଶନ ସାଟେଲାଇଟ ସ୍ଥାପନ କରିନାହିଁ । ଯଦି EOS-3 ଆର୍ଥ ଅବର୍ଜବେଶନ ସାଟେଲାଇଟ (Earth observation Satellite) ସଫଳ ହୋଇଥାନ୍ତା ପ୍ରଥମଥର ଭାରତର କୌଣସି ସାଟେଲାଇଟ ଏତେ ଦୂରରୁ ଭାରତ ଉପରେ ନଜର ରଖିଥାନ୍ତା । ସରଳ ଭାଷାରେ କହିବାକୁ ଗଲେ ଏହା ଦେଶର ସୁରକ୍ଷା କ୍ଷେତ୍ରରେ ମହାକାଶରୁ ଭାରତର ସିସିଟିଭ ଭଳି କାମ କରିଥାନ୍ତା । ଏହାସହ ଦିନ ରାତି ଭାରତର ଫଟୋ ଉତ୍ତୋଳନ କରି ପଠାଇଥାନ୍ତା ।
ଅନ୍ତରୀକ୍ଷରେ କଣ କାମ କରିଥାନ୍ତା EOS-3?
ଏହି (Earth observation Satellite) ସାଟେଲାଇଟ ଦେଶରେ ଆସୁଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଠିକ ଟାଇମ ଦେଇଥାନ୍ତା । ଦେଶର ପ୍ରତିମୁହୁର୍ତ୍ତର ଚିତ୍ର ଉତ୍ତୋଳନ କରିଥାନ୍ତା । ଏହାବାଦ ସାମୁଦ୍ରିକ ସୁରକ୍ଷା, ଶତ୍ରୁ ରାଷ୍ଟ୍ରଙ୍କ ଗତିବିଦ୍ଧି, ଜଙ୍ଗଲ, ସଡକ, ବନ୍ୟା, ରେଳଲାଇନ ନିର୍ମାଣ ଭଳି କ୍ଷେତ୍ରରେ ମଧ୍ୟ ବଡ ଭୂମିକା ନେଇଥାନ୍ତା । ସୀମାରେ ଶତ୍ରୁ ରାଷ୍ଟ୍ରର ପ୍ରତ୍ୟେକ ଗତିବିଦ୍ଧି ଉପରେ ନଜର ରଖିଥାନ୍ତା ।
ଆସନ୍ତା ୨ ଦିନରେ ତ୍ରୁଟି ସୁଧାରିବ ଇସ୍ରୋ ...
ଆଜି ଉତକ୍ଷେପଣ ହେବର କିଛି ସମୟ ପରେ ଆର୍ଥ ଅବର୍ଜବେଶନ ସାଟେଲାଇଟ ତୃତୀୟ ଷ୍ଟେଜର କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଦେଖାଦେଇଛି । ଯାହା ଫଳରେ ମିଶନ ଆଶିଂକ ତ୍ରୁଟି ଦେଖାଦେଇଛି । ଯାହାକୁ ଠିକ କରିବାକୁ ଏବେ ଇସ୍ରୋ ବୈଜ୍ଞାନିକ ମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ତ୍ରୁଟି ସୁଧାରିବାକୁ ଆଶା ରଖିଛି ଇସ୍ରୋ ।
EOS-3ରେ ଲାଗିଛି ଶକ୍ତିଶାଳୀ କ୍ୟାମେରା...
EOS-3 ସାଟେଲାଇଟରେ ଲାଗିଥିବା କ୍ୟାମେରା ହେଉଛି ଶକ୍ତିଶାଳୀ । ଏହି ସାଟେଲାଇଟରେ ୩ଟି କ୍ୟାମେରା ଲାଗିଛି । ପ୍ରଥମ କ୍ୟାମେରା ମଲ୍ଟି ସ୍ପେକ୍ଟ୍ରମ ଭିଜିବଲ (୬ ବେଣ୍ଡ୍ସ), ଦ୍ବିତୀୟ କ୍ୟାମେରା ହେଉଛି ହାଇପର-ସ୍ପେକ୍ଟ୍ରମ ଭିଜିବଲ ଆଣ୍ଡ ନ୍ୟାୟର-ଇନଫ୍ରାରେଡ(୧୫୮ ବେଣ୍ଡସ) ଆଉ ତୃତୀୟ କ୍ୟାମେରା ହେଉଛି ହାଇପର-ସ୍ପେକ୍ଟ୍ରମ ୱେବ-ଇନଫ୍ରାରେଡ (୨୫୬ ବେଣ୍ଡସ) । ପ୍ରଥମ କ୍ୟାମେରାର ରିଜୋଲ୍ୟୁସନ ୪୨ ମିଟର , ଦ୍ବିତୀୟ କ୍ୟାମେରାର ରିଜୋଲ୍ୟୁସନ ୩୧୮ ମିଟର ଓ ତୃତୀୟ କ୍ୟାମେରାର ରିଜୋଲ୍ୟୁସନ ୧୯୧ ମିଟର ।
EOS-3 ଲଞ୍ଚ କରି ନୂଆ ରେକର୍ଡ ପ୍ରତିଷ୍ଠା...
GSLV-F୧୦ ରକେଟ ଲଞ୍ଚ କରି ଇସ୍ରୋ ନୂଆ ରେକର୍ଡ ସ୍ଥାପନ କରିଛି । ଏହା GSLVର ୧୪ ତମ ଉତକ୍ଷେପଣ । ଏହାବାଦ ଏହା ସ୍ବଦେଶୀ କ୍ରାୟୋଜନିକ ଇଞ୍ଜିନର ଅଷ୍ଟମ ପ୍ରେରଣ ଥିଲା । ଏହା ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ୭୯ ତମ ପରିବହନ ମିଶନ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ