ରାୟପୁର: ବିବାହରେ ସାମାନ୍ୟ କଥାକୁ ନେଇ ରାଗରୁଷା ହେବା ପ୍ରାୟତଃ ଏକ ସାଧାରଣ କଥା । କିନ୍ତୁ ଭୋଜନରେ ଲଡୁ ନଥିବାରୁ ବାହା ହେବା ପାଇଁ ମନା କଲା ବର । ଫଳରେ କଥା ସ୍ଥାନୀୟ ଥାନାରେ ପହଞ୍ଚିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ବିବାହ ସମାପନ କରାଇବାର ସଫଳ ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ମୁଙ୍ଗେଲି ଜିଲ୍ଲାରେ ।
ସୂଚନା ଅନୁସାରେ, ମୁଙ୍ଗେଲି ଜିଲ୍ଲାର ଚାରବାଟାର ବାସିନ୍ଦା ରାମବାଜ ସାହୁଙ୍କ ଝିଅ କୁନ୍ତୀ ବେମେଟାରାର ବାସିନ୍ଦା ଗୁନିରାମ ସାହୁଙ୍କ ପୁଅ ସୁରଜ ସାହୁଙ୍କ ବିବାହ ଉତ୍ସବ ଚାଲିଥିବା ବେଳେ ଏପରି ଘଟଣା ଦେଖିବାକୁ ମିଳିଛି । ବରଯାତ୍ରୀ ବର ଧରି ପହଞ୍ଚିବା ପରେ ଭୋଜନରେ ଲଡୁ ଦାବି କରିଥିଲେ । ତେବେ ଲଡୁ ବ୍ୟବସ୍ଥା ହୋଇ ନଥିବାରୁ ବରପକ୍ଷ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିବାଦ ଏପରି ହୋଇଥିଲା ଯେ, ବର ବିବାହ କରିବା ପାଇଁ ମଧ୍ୟ ମନା କରିବା ସହ ମଣ୍ଡପରୁ ଓହ୍ଲାଇଯାଇଥିଲା ।
ଅଭିଯୋଗ ସ୍ଥାନୀୟ ଥାନାରେ ପହଞ୍ଚିଥିଲା । ଉଭୟ ପକ୍ଷ ପରସ୍ପର ବିରୋଧରେ ଆକ୍ରମଣ ଅଭିଯୋଗ କରିଥିଲେ । ପୋଲିସ କିନ୍ତୁ ମାମଲା ଆଗକୁ ବଢାଇବା ପରିବର୍ତ୍ତେ ଆପୋସ ସାମାଧାନକୁ ପ୍ରାଧାନ୍ୟ ଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ପୋଲିସ ମଧ୍ୟସ୍ଥତା କରିବା ସହ ବିବାହ କରାଇବାକୁ ଚେଷ୍ଟା କରିଥିଲା । ତେବେ ଦୀର୍ଘ ସମୟର ବୈଠକ ପରେ ଦୁଇ ପକ୍ଷ ସହମତ ହେବା ସହ ସୁରୁଖୁରରେ ବିବାହ ସମ୍ପନ୍ନ ହୋଇଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ