ଚଣ୍ତିଗଡ: ଅସୁସ୍ଥ ଅଛନ୍ତି ହରିୟାଣା ସ୍ବାସ୍ଥ୍ୟ ତଥା ଗୃହମନ୍ତ୍ରୀ ଅନିଲ ବିଜ୍ । ଏବେ ସେ ଚଣ୍ଡିଗଡ ସ୍ଥିତ ପିଜିଆଇଏମଇଆର(PGIMER) ଚିକିତ୍ସିତ ହେଉଛନ୍ତି । ଏନେଇ ଗୁରୁବାର ତାଙ୍କୁ ହସପିଟାଲରେ ଭେଟିଛନ୍ତି ରେସଲର କୁଲଦୀପ ସିଂ ରାଣା (ଗ୍ରେଟ ଖଲ୍ଲୀ ) । ଏହାସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଛନ୍ତି । ଅକ୍ସିଜେନ ସ୍ତର କମିବା ଯୋଗୁଁ ଅନିଲ ବିଜଙ୍କୁ ରବିବାର ଦିନ ଚଣ୍ଡିଗଡସ୍ଥିତ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ଗ୍ରେଟ ଖଲ୍ଲୀ ୨୦୦୦ ମସିହାରେ WWE କ୍ୟାରିୟର ଆରମ୍ଭ କରିଥିଲେ । ଏହାସହ WWEରେ ଚାମ୍ପିଅନ୍ ମଧ୍ୟ ହୋଇଥିଲେ। ତାଙ୍କୁ 2021 ଶ୍ରେଣୀର ଅଂଶ ଭାବରେ WWE ହଲ୍ ଅଫ୍ ଫେମ୍ ଅନ୍ତର୍ଭୁକ୍ତ କରାଯାଇଥିଲା ।
ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ ନିଜ ସ୍ବାସ୍ଥ୍ୟବସ୍ଥା ନେଇ ଏକ ଟୁଇଟ ମଧ୍ୟ କରିଛନ୍ତି । ବିଜ ଏକ ଟୁଇଟ୍ରେ କହିଛନ୍ତି, PGIର ଡାକ୍ତର ଏବଂ କର୍ମଚାରୀମାନେ ମୋତେ ସୁସ୍ଥ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏବଂ ମୋର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି। ତୁମର ପ୍ରାର୍ଥନା ଦ୍ୱାରା ମୁଁ ଶୀଘ୍ର ସୁସ୍ଥ ହେବି । ପୂର୍ବରୁ ଅନୀଲ ବିଜଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚରାଉଚରା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ବିଜେପି ସଭାପତି ଓମ ପ୍ରକାଶ ଧନଖର ମଧ୍ୟ ତାଙ୍କୁ ଭେଟିଥିଲେ ।
ସୂଚନାଥାଉ କି, ଗତ ଶୁକ୍ରବାର ଠାରୁ ହରିୟାଣା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ । ସେଥିପାଇଁ ସେ ଅଧିବେଶନରେ ଅଂଶଗ୍ରହଣ କରିପାରି ନଥିଲେ । ଏଥିସହ ଶନିବାର ଅମ୍ବାଲାରେ ହେବାକୁ ଥିବା ଜନତା ଦରବାରକୁ ମଧ୍ୟ ବନ୍ଦ କରାଯାଇଥିଲା । ଅନିଲ ଘରେ ରହି ଅକ୍ସିଜେନ ସପୋର୍ଟ ନେଉଥିବାବେଳେ ରବିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗୃହମନ୍ତ୍ରୀ ଅନିଲ ବିଜ ପ୍ରଥମେ କୋରୋନା ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଜଣେ । ଏହାସତ୍ତ୍ବେ ମଧ୍ୟ ସେ କୋରୋନା ସଂକ୍ରମିତ ହୋଇଥିଲେ ଏବଂ ପରେ କୋରୋନାରୁ ସୁସ୍ଥ ଲାଭ କରିଥିଲେ ।
@ANI