ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ପାଇଁ ଜନସାଧାରଣଙ୍କୁ ପରାମର୍ଶ ମାଗିଛନ୍ତି କେନ୍ଦ୍ର ସରକାର । ପଦ୍ମ ପୁରସ୍କାରକୁ 'ଜନତାଙ୍କ ପଦ୍ନ'ରେ ପରିବର୍ତ୍ତିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ସରକାର କହିଛନ୍ତି ।
ସମସ୍ତ ଜନସାଧାରଣଙ୍କ କେନ୍ଦ୍ର ସରକାର ପ୍ରତିଷ୍ଠିତ ନାଗରିକ ସମ୍ମାନ ପାଇଁ ନାମାଙ୍କନ ଓ ସୁପାରିଶ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ର ଦିବସ 2022 ପୂର୍ବ ଦିନ ଘୋଷିତ କରାଯାଉଥିବା ଏହି ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ ତଥା ସୁପାରିଶ ଖୋଲାଯାଇଅଛି । ଏହାର ଶେଷ ଆବେଦନ ତାରିଖ 15 ସେପ୍ଟେମ୍ବର 2021 ରହିଛି ।
ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ଏଭଳି ନାମାଙ୍କନ ଓ ସୁପାରିଶ କେବଳ ଅନଲାଇନ ପ୍ରାପ୍ତ କରାଯିବ । ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର, ଯେଉଁଥିରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସାମିଲ ରହିଛି । ବୟାନରେ କୁହାଯାଇଛି ଯେ ସରକାର ପଦ୍ମ ପୁରସ୍କାରକୁ 'ଜନତାଙ୍କ ପଦ୍ମ'ରେ ପରିବର୍ତ୍ତିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ସମସ୍ତ ନାଗରିକଙ୍କୁ ନାମାଙ୍କନ ସହିତ ସୁପାରିଶ କରିବାକୁ ଅନୁରୋଧ କରାଯାଉଛି ।
ନାମାଙ୍କନ ଓ ସୁପାରିଶ ପାଇଁ ପୋର୍ଟାଲରେ ଉପଲବ୍ଧ ନିର୍ଦ୍ଧିଷ୍ଟ ସମସ୍ତ ପ୍ରାସଙ୍ଗିକ ବିବରଣୀ ସାମିଲ ହେବାର ଆବଶ୍ୟକତା ରହିଛି । ଏଥିରେ ବର୍ଣ୍ଣନାତ୍ମକ ରୂପେ ଏକ ଯୋଗ୍ୟ ବ୍ୟକ୍ତିଙ୍କ ବିଷୟରେ( ଅତିକମ୍ରେ 800 ଶବ୍ଦ)ରେ ତାଙ୍କର ବୈଶିଷ୍ଟ୍ୟ ଓ ଅସାଧାରଣ ଉପଲବ୍ଧି ଓ ତାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସେବା ସାମିଲ ହେବା ଦରକାର ।
ସମ୍ଭାବ୍ୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏକ ସ୍ବତନ୍ତ୍ର ସର୍ଚ୍ଚ କମିଟି ଗଠନ କରିବାକୁ କହି ସାରିଛନ୍ତି । ଖାସକରି ଯେଉଁମାନେ ସେମାନଙ୍କର ଅତୁଳନୀୟ ଅବଦାନ ଓ ସେବା ସତ୍ତ୍ବେ ପୁରସ୍କାର ପାଇଁ ବିବେଚିତ ହୋଇନାହାଁନ୍ତି ସେମାନଙ୍କୁ ଏହି ଟିମ ଚୟନ କରିବ ।