ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ‘ମିଶନ ବାତ୍ସଲ୍ୟ’ କାର୍ଯ୍ୟକାରୀ କରୁଛି। ମିଶନ ବାତ୍ସଲ୍ୟର ଉଦ୍ଦେଶ୍ୟ ହେଉଛି, ଦେଶର ପିଲା ମାନଙ୍କ ପାଇଁ ସ୍ଥାୟୀ ଭିତିରେ ଏକ ସୁସ୍ଥ ଏବଂ ସୁଖମୟ ପିଲାଦିନ ସୁନିଶ୍ଚିତ କରିବା । ପୂର୍ଣ୍ଣ ସାମର୍ଥ୍ୟକୁ ଆବିଷ୍କାର କରିବା ନିମନ୍ତେ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ସବୁ ପ୍ରକାର ଅଭିବୃଦ୍ଧି ନିମନ୍ତେ ସହାୟତା ପ୍ରଦାନ କରିବା ।
ଶିଶୁ ମାନଙ୍କର ବିକାଶ ନିମନ୍ତେ ଏକ ସମ୍ବେଦନଶୀଳ , ସହାୟକ, ଏବଂ ସମକାଳୀନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା, କିଶୋର ନ୍ୟାୟ ଅଧିନିୟମ, ୨୦୧୫ର ଜନାଦେଶକୁ ସମ୍ପୂର୍ଣ୍ଣ କରିବାରେ ରାଜ୍ୟ ମାନଙ୍କୁ, କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସହାୟତା କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ କରିବା ।
ମିଶନ ବାତ୍ସଲ୍ୟ ଅଧୀନରେ ଯେଉଁ ଉପାଦାନ ଗୁଡିକ ଅନ୍ତର୍ଭୁକ୍ତ ରହିଛି , ସେଗୁଡିକ ହେଉଛି, ଆଇନଗତ ସଂସ୍ଥା ଗୁଡିକର କାର୍ଯ୍ୟରେ ସଂସ୍କାର ଆଣିବା, ସେବା ବିତରଣ ସଂରଚନା ଗୁଡିକୁ ସୁଦୃଢ କରିବା, ଉଚ୍ଚ ସ୍ତରର ସଂସ୍ଥାଗତ ଯତ୍ନ ସେବା ସମୂହ, ଅଣ ଆନୁଷ୍ଠାନିକ ସମୁଦାୟ ଆଧାରିତ ଯତ୍ନକୁ ପ୍ରୋତ୍ସାହିତ କରିବା, ଜରୁରୀକାଳୀନ ସହାୟତା ସେବା ସମୂହ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କରିବା ।
ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସହିତ ବୁଝାମଣା ପତ୍ରରେ ସ୍ୱାକ୍ଷର ହୋଇଛି । ମିଶନ ବାତ୍ସଲ୍ୟକୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପରେ କେନ୍ଦ୍ର ଏବଂ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶ ସରକାର ମାନଙ୍କ ମଧ୍ୟରେ ନିର୍ଦ୍ଧାରିତ ଖର୍ଚ୍ଚ ବଣ୍ଟନ ଅନୁପାତ ଆଧାରରେ ଲାଗୁ କରାଯିବ ।
ଏନେଇ ମନ୍ତ୍ରଣାଳୟ ମିଶନ ବାତ୍ସଲ୍ୟ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି । ନିର୍ଦ୍ଦେଶାବଳୀର ମାନଦଣ୍ଡ ଗୁଡିକର ଆଧାର ଉପରେ ମିଶନ ବାତ୍ସଲ୍ୟ ଯୋଜନା ଅନୁସାରେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ପ୍ରଶାସନକୁ ୨୦୨୨- ୨୩ ନିମନ୍ତେ ନିଜର ବିତ୍ତୀୟ ପ୍ରସ୍ତାବ ଏବଂ ଯୋଜନା ଗୁଡିକୁ ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛି ।