ସାରା ବିଶ୍ବର 174ଟି ଦେଶରେ କୋଭିଡ୍ ପ୍ରତିଷେଧକ ଟିକାର 125 କୋଟି ଡୋଜ୍ ଦିଆଯିବା ସହିତ ସମଗ୍ର ମାନବ ଜାତି କୋଭିଡ୍-19 ବିରୋଧରେ ଏକ ବିଶାଳ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛି । ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି ବୋଲି ଉଲ୍ଲେଖ କରିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ ବିଶ୍ବର ଧନୀ ରାଷ୍ଟ୍ରଗୁଡ଼ିକରେ ଯେଉଁ ବେଗରେ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି, ତାହା ଦରିଦ୍ର ରାଷ୍ଟ୍ର ସମୂହର ବେଗ ତୁଳନାରେ 25 ଗୁଣ ଅଧିକ । ଟିକାଦାନରେ ଏଭଳି ତାରତମ୍ୟ ସମଗ୍ର ବିଶ୍ବ ପାଇଁ ଆତ୍ମଘାତୀ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି ।
ଗତ ଅକ୍ଟୋବର ମାସରେ, ଟିକାର ପେଟେଣ୍ଟ ବା ଟିକା ପ୍ରସ୍ତୁତି ସଂପର୍କିତ ବୌଦ୍ଧିକ ଅଧିକାରକୁ କେନ୍ଦ୍ର କରି ଲାଗି ରହିଥିବା ବିତର୍କର ଅବସାନ ଘଟାଇବା ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଆହ୍ବାନ ଦେଇଥିଲେ ଏବଂ ଏହା ସହିତ ବିଶ୍ବର ସବୁ ଦେଶ ପାଇଁ ଟିକାକୁ ତୁରନ୍ତ ଉପଲବ୍ଧ କରାଇବାକୁ ଦାବି କରିଥିଲେ । ଯଦିଓ, ଏ କ୍ଷେତ୍ରରେ ସଂପ୍ରତି ବିଶ୍ବର ଏକମାତ୍ର ସର୍ବଶକ୍ତିଶାଳୀ ରାଷ୍ଟ୍ର ରୂପେ ବିବେଚିତ ଯୁକ୍ତରାଷ୍ଟ୍ର ଆମେରିକା କୋହଳ ମନୋଭାବ ପ୍ରଦର୍ଶନ କରିସାରିଛି, ତଥାପି ଏ ସଂକ୍ରାନ୍ତରେ ଏକ ତର୍କସମ୍ମତ ନୀତି ପ୍ରଣୟନ ଲାଗି ଆଉ କେତେ ମାସ ଲାଗିଯିବ ।
ଲୋକସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏକାକୀ ଭାରତ ପୃଥିବୀର ଅନେକ ଦେଶ ସହିତ ସମାନ । ସାରା ବିଶ୍ବରେ ଉତ୍ପାଦିତ 60 ପ୍ରତିଶତ ପ୍ରତିଷେଧକ ଟିକା କେବଳ ଭାରତରେ ଉତ୍ପାଦିତ ହୋଇଥାଏ । ଅଥଚ, ଦୂରଦୃଷ୍ଟି ଅଭାବ କାରଣରୁ ହିଁ ଭାରତରେ କୋଭିଡ୍ ଟିକାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଲା । ଯଦିଓ 45 ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟିକା ଦେବା ଦାୟିତ୍ବ କେନ୍ଦ୍ର ସରକାର ବହନ କରିଥିଲେ, ତଥାପି ବର୍ତ୍ତମାନର ଟିକାକରଣ କାର୍ଯ୍ୟକ୍ରମ ଏକ ମାସ ପୂର୍ବର ସ୍ଥିତି ତୁଳନାରେ ଅଧା ହୋଇଯାଇଛି । ମେ ପହିଲାରୁ 18 ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ଟିକାଦାନ ପ୍ରସ୍ତାବ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ମଧ୍ୟ ବାଧା ଉପୁଜିଛି । ଉଦ୍ବେଗର ବିଷୟ ଯେ, ଆଶାନୁରୂପ ଭାବେ ମାସକୁ 10ରୁ 11 କୋଟି ଟିକା ଉତ୍ପାଦନ କରିବା ଲାଗି ଆହୁରି ମାସେ ଲାଗିଯିବ । ସଂପ୍ରତି ଦେଶର 12ଟି ରାଜ୍ୟରେ ଦୈନିକ ଏକ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହେଉଥିବା ରିପୋର୍ଟ ମିଳୁଛି ଏବଂ ଏହି ସବୁ ରାଜ୍ୟରେ ପରିଲକ୍ଷିତ କୋଭିଡ୍ ସୁନାମି ଚିନ୍ତାଜନକ ଭାବରେ ବିପର୍ଯ୍ୟୟର କାରଣ ସାଜିଛି । ଏହି ସ୍ଥିତି ଆସନ୍ତା ଜୁନ ଶେଷ ସୁଦ୍ଧା ସୁଧୁରିବାର ସମ୍ଭାବନା ରହିଛି । ଏଭଳି ଏକ କଷ୍ଟକର ସ୍ଥିତିରେ ବିଚାର ବିଊାଗର ସକ୍ରିୟ ଭୂମିକା ଏକମାତ୍ର ଆଶାର କିରଣ ରୂପେ ଭଭା ହୋଇଛି ।
ବର୍ତ୍ତମାନ ଯେଉଁ ହାରରେ ଟିକାଦାନ ଚାଲିଛି, ସେହି ହାର ଜାରି ରହିଲେ ଦେଶର 18 ବର୍ଷରୁ ଅଧିକ ବୟସର 80 କୋଟି ଲୋକଙ୍କୁ ଟିକା ଦେବା ପାଇଁ ଅତି କମ୍ରେ ଆଠ ମାସ ଲାଗିଯିବ । ନିକଟରେ ସୁପ୍ରିମ କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଟିକାଦାନ ନୀତି ଲୋକଙ୍କ ଜୀବନଧାରଣ ଅଧିକାରର ପରିପନ୍ଥୀ ସଦୃଶ । ତେଣୁ ଏକ ବିସ୍ତୃତ ଟିକାଦାନ ନୀତି ପ୍ରଣୟନ ପାଇଁ ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ସରକାର ପୂର୍ବ ଭଳି ମାଗଣା ଟିକାଦାନ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ଏବଂ ରାଜ୍ୟମାନେ ମୌଳିକ ଚିକିତ୍ସା ସୁବିଧା ଏବଂ ଡାକ୍ତରଖାନାର ବିକାଶ ଉପରେ ଧ୍ୟାନ ଦିଅନ୍ତୁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି. ରଙ୍ଗରାଜନ ପରାମର୍ଶ ଦେଇଛନ୍ତି । ତାଙ୍କ ପରାମର୍ଶକୁ କାର୍ଯ୍ୟରେ ପରିଣତ କରାଇବା ନିହାତି ଆବଶ୍ୟକ । ଅନ୍ୟାନ୍ୟ ଦେଶରେ 50 ପ୍ରତିଶତ ଲୋକଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋଭିଡ୍ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଭାରତରେ ଏହି ପରୀକ୍ଷଣ ହାର ମାତ୍ର 20 ପ୍ରତିଶତ ରହିଛି । ଏଭଳି ଉଦାସୀନତା କାରଣରୁ କୋଭିଡ୍ ଭୂତାଣୁ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି ।
ଅକ୍ସିଜେନ୍ ଓ ଭେଣ୍ଟିଲେଟର ଉପଲବ୍ଧ ନହେବା କାରଣରୁ ଆମ ଦେଶର ଶହ ଶହ ଲୋକ ପ୍ରାଣ ହରାଇବା ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଛି । ସହାୟତା ପାଇଁ ବାରମ୍ବାର ଆକୁଳ ନିବେଦନ କରି ନିରାଶ ହେବା ପରେ ଧୈର୍ଯ୍ୟହରା ହୋଇ ବିଭିନ୍ନ ରାଜ୍ୟ ସରକାର ଅକ୍ସିଜେନ୍ ପାଇବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଦୁର୍ଭାଗ୍ୟର କଥା ଯେ, ଅଦାଲତ ଆକଟ ନ କରିବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ କୌଣସି ନିବେଦନ ପ୍ରତି କର୍ଣ୍ଣପାତ କରିନଥିଲେ ।
ବିଭିନ୍ନ ରାଜ୍ୟରେ ଥିବା ହାସପାତାଳ ଶଯ୍ୟା ଓ ଆଇସିୟୁ ସଂଖ୍ୟା ଅନୁପାତରେ ଅକ୍ସିଜେନ୍ କୋଟାର ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ର ସରକାର ଯେଉଁ ନିରର୍ଥକ ଯୁକ୍ତି ଉପସ୍ଥାପନ କରିଥିଲେ, ତାହାକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । କେନ୍ଦ୍ରର ଅକ୍ସିଜେନ୍ କୋଟା ନିରୂପଣ ନୀତିରେ ସଂସ୍କାର ନିମନ୍ତେ ଅଦାଲତ ମତ ଦେଇଛନ୍ତି । ଆଗାମୀ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣରେ ଛୋଟ ଶିଶୁମାନେ ବି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି କରାଯାଇଥିବା ବିଭିନ୍ନ ବିଶ୍ଲେଷଣ ଭିତ୍ତିରେ ଏଭଳି ସ୍ଥିତିର ସମ୍ମୁଖୀନ ହେବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଡ଼ମ୍ବନାର ବିଷୟ ଯେ ଅକ୍ସିଜେନ୍ ପ୍ରସ୍ତୁତିରେ ବ୍ୟବହୃତ ଯନ୍ତ୍ରପାତି କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ ବା ଜିଏସ୍ଟି କୋହଳ କରିବା ଲାଗି ସରକାର ମନା କରିଦେବା ପରେ ଅଦାଲତଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଲା । ଦୁର୍ଭାଗ୍ୟର କଥା ଯେ, ବିଭିନ୍ନ ଅଦାଲତ ତାଗିଦ ନ କରିବା ପର୍ଯ୍ୟନ୍ତ ସରକାର ନିରବ ଓ ନିଷ୍କ୍ରିୟ ରହିଥିଲେ ।