ନୂଆଦିଲ୍ଲୀ: ଗ୍ୟାସ ଓ ତୈଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟରେ ନୟାନ୍ତ ହେଉଛନ୍ତି ସାଧାରଣ ଖାଉଟି । ଯାହାକୁ ନେଇ ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବୁଧବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦେଶର ଜିଡିପି ଅଭିବୃଦ୍ଧି ନେଇ କେନ୍ଦ୍ର ସରକାର ବିବୃତ୍ତିକୁ ସମାଲୋଚନା କରିଛନ୍ତି ।
ରାହୁଲ କହିଛନ୍ତି, କେନ୍ଦ୍ର ସରକାର କହୁଛନ୍ତି ଦେଶର GDP ବଢୁଛି । ସରକାରଙ୍କ ଏହି କଥାରୁ ମତେ ଅନୁଭବ ହେଲା କି ତାଙ୍କ କହିବାର ତାତ୍ପର୍ଯ୍ୟ କଣ । ସରକାରଙ୍କ GDP ଅର୍ଥ ହେଉଛି gas, diesel, petrol । କାରଣ ଦେଶରେ ଇନ୍ଧନର ଉଚ୍ଚ ଦରରୁ କେନ୍ଦ୍ର ଏବେ ସୁଦ୍ଧା ପ୍ରାୟ ୨୩ ଲକ୍ଷ କୋଟି ଟଙ୍କା କମାଇଛି ବୋଲି ରାହୁଲ କହିଛନ୍ତି ।
'୨୦୧୪ରେ ନରେନ୍ଦ୍ର ମୋଦି କହିଲେ ଯେ ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଉଛି । ୨୦୧୪ରେ ଯେତେବେଳେ UPA କ୍ଷମତାଚ୍ୟୁତ ହେଲା ସେହି ସମୟରେ ଦେଶରେ ଗ୍ୟାସ ସିଲିଣ୍ଡର ଦର ୪୧୦ ଟଙ୍କା ଥିଲା । ହେଲେ ଆଜି ଏହାର ଦାମ୍ ୮୮୫ ଟଙ୍କା । ସେହି ସମୟରେ ପେଟ୍ରୋଲ ଲିଟର ପିଛା ୭୧. ୫ ଟଙ୍କାରେ ମିଳୁଥିଲା । ହେଲେ ଆଜିର ମୋଦି ସରକାରଙ୍କ ଶାସନ କାଳରେ ପେଟ୍ରୋଲ ଦର ପ୍ରାୟ ୪୨ ପ୍ରତିଶତ ବୃଦ୍ଧି ପାଇ ୧୦୦ ଟଙ୍କା ଉପରେ ରହିଛି । ସେହପରି ଡିଜେଲ ଦର ମଧ୍ୟ ୫୭ ଟଙ୍କାରୁ ୮୮ ଟଙ୍କାରେ ପହଞ୍ଚିଛି ।'
'କେନ୍ଦ୍ର ସରକାର GDP ରୁ ୨୩ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି । ହେଲେ ଏହି GDPର ଅର୍ଥ gross domestic product ନୁହେଁ ବରଂ gas, diesel, petrol ବୋଲି କଟାକ୍ଷ କରିଛନ୍ତି ରାହୁଲ । ବର୍ତ୍ତମାନ ପ୍ରଶ୍ନ, ସରକାର ସେହି ୨୩ ଲକ୍ଷ କୋଟି କେଉଁଠି ବ୍ୟୟ କଲେ ? ଜନସାଧାରଣ ମଧ୍ୟ ସରକାରଙ୍କୁ ଏ ବାବଦରେ ପଚାରିବା ଉଚିତ୍ ଯେ ସରକାର ତାଙ୍କ ଠାରୁ ଯେଉଁ ଅର୍ଥ ଛଡାଇ ନେଉଛନ୍ତି ତାହା ଯାଉଛି କୁଆଡେ ।'
ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଓ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହୋଇଥିଲେ ହେଁ ଦେଶର ଲଗାତାର ଇନ୍ଧନ ମୂଲ୍ୟ ବୃଦ୍ଧି ହେଉଛି ବୋଲି ରାହୁଲ କହିବା ସହ କେନ୍ଦ୍ର ସରକାରଙ୍କ ଉପରେ ଦେଶର ସମ୍ପତ୍ତି ବିକ୍ରୟ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ରାହୁଲଙ୍କ ଏଭଳି ସମାଲୋଚନା ଉପରେ କଡା ଜବାବ ଦେଇଛି ବିଜେପି । 'କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିନା କୌଣସି ସୂଚନାରେ କିଛି ବି କହୁଛନ୍ତି । ସମସ୍ତେ ଜାଣିଛନ୍ତି UPA ଶାସନ କାଳରେ ତୈଳ ବ୍ୟାଣ୍ଡ କିପରି କ୍ରୟ ହେଉଥିଲା । ଯାହାଦ୍ବାରା ତୈଳ ଦରରେ ନକରାତ୍ମକ ପ୍ରଭାବ ପଡିଥିଲା । ଗତକାଲି ଜିଡିପି କ୍ଷେତ୍ରରେ ଅଭିବୃଦ୍ଧି ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ବର ସଙ୍କେତ ଦେଇଛି' ବୋଲି ରାହୁଲଙ୍କୁ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।
@ ANI