କୋଲକାତା: ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ଆକ୍ରମଣ ପରେ ଜୋର ଧରିଛି ରାଜନୀତି । ଘଟଣା ପରଠୁ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ନେତା ପରସ୍ଫରଙ୍କୁ କରୁଛନ୍ତି ଟାର୍ଗେଟ । ଏହାରି ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିବାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଶୁଣିବାକୁ ପଡିଛି ଟିଏମସି ନେତାଙ୍କ କଟୁ ମନ୍ତବ୍ୟ ।
ନଡ୍ଡାଙ୍କୁ ଆକ୍ରମଣ ପରେ ବିଜେପି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଆକ୍ରାମକ ହୋଇପଡିଥିବା ବେଳେ ରାଜ୍ୟପାଳ ମଧ୍ୟ ଘଟଣାକୁ କଡା ସମାଲୋଚନା କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଟାର୍ଗେଟ କରି ବିବାଦିତ ବୟାନ ଦେଇଛନ୍ତି ଟିଏମସିର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ । ରାଜ୍ୟପାଳଙ୍କୁ ବିଜେପିର ପାଇପ ସହିତ ତୁଳନା କରିଛନ୍ତି ଟିଏମସି ସାଂସଦ ।
ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ରାଜ୍ୟସରକାର କେବଳ ବିଧାନସଭାରେ ଉତ୍ତର ରଖିବେ । କୌଣସି ଅନ୍ୟ ଲୋକ ବିସେଷ କରି କେନ୍ଦ୍ର ସରକାର ଆଇନ ଶୃଙ୍ଖଳାକୁ ନେଇ ଉତ୍ତର ମାଗିପାରିବେ ନାହିଁ । ଏହା ସମ୍ବିଧାନର ଉଲ୍ଲଂଘନ ବୋଲି ବାନାର୍ଜୀ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟପାଳ କଡା ଶବ୍ଦରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗରେ ସମ୍ବିଧାନର ମର୍ଯ୍ୟାଦା ଭଙ୍ଗ ହେଉଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଆଁ ସହ ନଖେଳି ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଦରକାର ବୋଲି କହିଥିଲେ ରାଜ୍ୟପାଳ ।
ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ, ଗରୁବାର ହୋଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହା ଆମ ଗଣତନ୍ତ୍ର ଉପରେ ଏକ କଳା ଦାଗ । ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ । ସିଏମ ସମ୍ବିଧାନର ପାଳନ କରନ୍ତୁ । ତେବେ ଯଦି ସମ୍ବିଧାନର ପାଳନ ନହୁଏ, ତାହେଲେ ମୋ ଭୂମିକା ଆରମ୍ଭ ହେବ ବୋଲି ପ୍ରତିକ୍ରିୟା ଦେଇଥିଲେ ରାଜ୍ୟପାଳ ।