ନୂଆଦିଲ୍ଲୀ: ପାର୍ବଣରେ ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ଉପହାର । ଫସଫେଟ, ପଟାସ ସାର(Fertilizer) ପାଇଁ 28,655 କୋଟି ଟଙ୍କାର ଅତିରିକ୍ତ ସବସିଡିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୋଦି ସରକାରଙ୍କ କ୍ୟାବିନେଟ । ୨୦୨୧ ଅକ୍ଟୋବର ପହିଲାରୁ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲାଗୁ ରହିବ ଏହି ସବସିଡି ।
ଆର୍ଥିକ ବ୍ୟାପାର ସଂକ୍ରାନ୍ତରେ କ୍ୟାବିନେଟ ସାର ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶୀତଦିନିଆ ଫସଲ ପାଇଁ ବର୍ଦ୍ଧିତ ସବସିଡିକୁ ମଞ୍ଜୁରୀ ଦିଆଯାଇଛି । 2021-22 (ଶୀତ ଋତୁ) ପାଇଁ ଫସଫେଟିକ ଓ ପୋଟାସିକ (ପି ଆଣ୍ଡ କେ) ସାର ଉପରେ ସବସିଡି ନିର୍ଦ୍ଧାରଣ କରିବା ଲାଗି ସାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
ଭାରତ ସରକାର ବିଭିନ୍ନ ପ୍ରକାରର ସାର, ବିଶେଷ କରି ୟୁରିଆ ଏବଂ 22 ଗ୍ରେଡ ବିଶିଷ୍ଟ ପି ଆଣ୍ଡ କେ ସାରଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି, ଯେଉଁଥିରେ ଡିଏପି ମଧ୍ୟ ସାମିଲ ରହିଛି । ଏସବୁ ସାର ନିର୍ମାତା/ଆମଦାନୀକାରୀମାନଙ୍କଠାରୁ ସବସିଡି ଦରରେ ଚାଷୀମାନଙ୍କୁ ମିଳିବ। ପି ଆଣ୍ଡ କେ ସାର ଉପରେ ସବସିଡି ଏନବିଏସ ଯୋଜନା ଆଧାରରେ ଦିଆଯାଉଛି।
ଚାଷୀଙ୍କୁ ସମର୍ଥନ କରିବାର ଭାବନା ନେଇ ଶସ୍ତା ଦରରେ ପି ଆଣ୍ଡ କେ ସାର ଯଥେଷ୍ଟ ପରିମାଣରେ ଶସ୍ତା ଦରରେ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସବସିଡି ଦର ଆଧାରରେ କମ୍ପାନୀଗୁଡ଼ିକୁ ଜାରି କରାଯିବ, ଯାହାଫଳରେ ଚାଷୀମାନଙ୍କୁ ଶସ୍ତା ମୂଲ୍ୟରେ ସାର ମିଳିପାରିବ।