ହାଇଦ୍ରାବାଦ: କଥାରେ ଅଛି କଠିନ ଅଧ୍ୟବସାୟ ସଫଳତାର ଚାବିକାଠି । ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ନିଷ୍ଠା, ଦୃଢ ଇଚ୍ଛାଶକ୍ତି ରହିଲେ ସବୁ କିଛି ସମ୍ଭବ । ଏହି କଥାକୁ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ଯୁବକ । ଥରେ ନୁହେଁ, ଦୁଇ ଥର ନୁହେଁ ୬ଥର ଫେଲ ହେବା ପରେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି । ଆଉ ଫଳସ୍ବରୂପ ସେ ଆଜି IPS ଅଫିସର ହୋଇପାରିଛନ୍ତି । IPSର ୭୪ତମ RR ବ୍ୟାଚର ଶେହନଶାହ କେଏସ ଅଲରାଉଣ୍ଡ ଟପର ମଧ୍ୟ ହୋଇପାରିଛନ୍ତି ।
କେରଳ ଥ୍ରିସୁରରେ ୧୯୯୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଶେହନଶାହ । ସେ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ମେକାନିକାଲ ବିଭାଗରେ ବି.ଟେକ କରିଥିଲେ । ଏହାପରେ ସେ ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆ ପକ୍ଷରୁ ଆଥଲେଟିକ ଟ୍ରେନିଂ ନେଇଥିଲେ । ୮ବର୍ଷ ମଧ୍ୟରେ ୩୦ଟି ରାଜ୍ୟସ୍ତରୀୟ ଓ ୧୪ଟି ଅନ୍ତର୍ଜାତୀୟ ସ୍ତରର ମେଡାଲ ଜିତିଥିଲେ । ଏହାପରେ ସେ CISFରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ IRPFSରେ ଡିଭିଜନାଲ ସିକ୍ୟୁରିଟି କମିଶନର ଭାବେ କାର୍ଯ୍ୟ କରିତିଲେ ।
ଏହା ବି ପଢନ୍ତୁ- Lay off Fear: ଆମେରିକାରୁ ଭାରତ ଫେରିବା ଭୟରେ ଛାତ୍ରୀ ଗାଏବ !
ସରକାରୀ ଚାକିରି କରିବା ସତ୍ତ୍ବେ IPS ଅଫିସର ହେବା ଲାଗି ତାଙ୍କର ଗଭୀର ଇଚ୍ଛାଶକ୍ତି ରହିଥିଲା । ତାଙ୍କ ଜେଜେ ବାପା ଇଣ୍ଡିଆନ ଆର୍ମିରେ ଥିଲେ । ସେ ନିଜ ଜେଜେବାପାଙ୍କଠାରୁ ପ୍ରେରଣା ପାଇ IPS ଅଫିସର ହେବା ଲାଗି ସ୍ବପ୍ନ ଦେଖିଥିଲେ । ସେ ହାଇଦ୍ରାବାଦରେ CISFରେ ଚାକିରି କରୁଥିବା ବେଳେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଦିନକୁ ସେ ୧୦ରୁ ୧୨ ଘଣ୍ଟା ପାଠ ପଢୁଥିଲେ । ସେ ମେନ୍ସ ପରୀକ୍ଷାରେ ୬ଥର ଉତ୍ତୀର୍ଣ୍ଣ ହୋଇଥିବା ସତ୍ତ୍ବେ ଇଣ୍ଟରଭ୍ୟୁରେ ଅସଫଳ ହୋଇଥିଲେ । ତଥାପି ସେ ହାର ନ ମାନି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଉଦ୍ୟମ ଜାରି ରଖିଥିଲେ ।
ସପ୍ତମ ଥର ମଧ୍ୟ ସେ ପରୀକ୍ଷା ଦେଇଥିଲେ ଓ ଉତ୍ତୀର୍ଣ୍ଣ ହୋଇ ଶେଷରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି । ଏ ନେଇ ଶେହନଶାହ କୁହନ୍ତି, "ଆଥଲେଟିକ ପାଇଁ ହାର ହେଉଛି ଗୋଟିଏ ଅଂଶ । ଜଣେ ସ୍ପୋର୍ଟସ ଚମ୍ପିଆନ ହିସାବରେ ଏହା ଉପରେ ସଫଳତା କିପରି ହାସିଲ କରାଯିବ ତାହା ମୋତେ ଜଣା । ଏଥିଲାଗି ସିଭିଲ ପରୀକ୍ଷାରେ ମୁଁ ୬ଥର ଉତ୍ତୀର୍ଣ୍ଣ ହୋଇପାରିନଥିବା ବେଳେ ନିଜ ଉଦ୍ୟମ ଜାରି ରଖିଥିଲି । ୭ମ ଥରରେ ମୁଁ ୧୪୨ ନଂରେ ରହିଥିଲି । ଯଦି ମୋତେ IAS ହେବା ଲାଗି ଯୋଗ୍ୟ ବିବେଚିତ କରାଯାଏ, ତଥାପି ବି ମୁଁ IPS ଅଫିସର ହେବା ଲାଗି ପ୍ରସ୍ତାବ ଦେବି । କାରଣ ପୋଲିସ ଚାକିରିକୁ ଭଲ ପାଏ ।"