ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଉପହାର । ରୋଷେଇ ଘରେ କମିବାକୁ ଯାଉଛି ତୈଳ ତାତି । ଖାଇବା ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଖାଇବା ତେଲ ଉପରୁ ବେସ୍ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିଛନ୍ତି ସରକାର । ଫଳରେ ସୂର୍ଯ୍ୟମୁଖୀ ତେଳ, ସୋୟା ତେଲ ଓ ପାମୋଲିନ ତେଲ ଉପରୁ ହ୍ରାସ ପାଇଛି ଆମଦାନୀ ଶୁଳ୍କ ।
ଖାଇବା ତେଳ ଉପରୁ ଇମ୍ପୋର୍ଟ ଡ୍ୟୁଟି ହ୍ରାସ ନେଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ଅଶୋଧିତ ସୋୟା ତେଲ, ପାମୋଲିନ ତେଲ ଓ ସୁର୍ଯ୍ୟମୁଖୀ ତେଲ ଉପରୁ ବେସ୍ ଆମଦାନୀ ଶୁଳ୍କ ହ୍ରାସ ପାଇ ୨.୫ ପ୍ରତିଶତ ହୋଇଛି । ପୂର୍ବରୁ ଅଶୋଧିତ ପାମୋଲିନ ତେଲ ଉପରେ ଆମଦାନୀ ଶୁକ୍ଳ ୧୦ ପ୍ରତିଶତ ଥିବାବେଳେ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଓ ଅଶୋଧିତ ସୋୟା ତେଲ ଉପରେ ଆମଦାନୀ ଶୁଳ୍କ ଥିଲା ୭.୫ ପ୍ରତିଶତ ।
ସେପଟେ ଗ୍ରେଡ ସୂର୍ଯ୍ୟମୁଖୀ ତେଲ, ସୋୟା ତେଲ ଓ ପାମୋଲିନ ତେଲ ଉପରେ ବେସ୍ ଆମଦାନୀ ଶୁଳ୍କ ୩୭.୫ ପ୍ରତିଶତରୁ ହ୍ରାସ ପାଇ ୩୨.୫ ପ୍ରତିଶତ ହୋଇଛି ।