ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା । ନବରାତ୍ରୀର ୯ ଦିନରେ ମା ୯ଟି ରୂପ ଧାରଣ କରନ୍ତି । ଏହି ୯ ଦିନ ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି । ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ରୂପ ପରେ ଆଜି ନବରାତ୍ରୀର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା' । ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ସିଂହ ବା ବାଘ ଉପରେ ବିରାଜମାନ ହୋଇଥାନ୍ତି। ଦଶଟି ହାତରେ ଅନେକ ଅସ୍ତ୍ରଶସ୍ତ୍ରରେ ବିଭୂଷିତ ହୋଇଥାନ୍ତି ମା' । ଏହି ଅଲୌକିକ ରୂପ ଭକ୍ତଙ୍କ ପାଇଁ ପରମ ଶାନ୍ତି ଦାୟକ ଓ କଲ୍ୟାଣକାରୀ ଅଟେ । ଏହି ରୂପରେ ମା'ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଥାଏ । ଏଥି ପାଇଁ ମାଙ୍କ ଏହି ରୂପକୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ ।
ଦେବୀଙ୍କ ଆରଧନାରେ ସାଧକ ଭିତରେ ବୀରତା ଓ ନିର୍ଭରତା ସହ ସୈାମ୍ୟତା ଓ ବିନମ୍ରତାର ବିକାଶ ହୋଇଥାଏ । ଏଥିପାଇଁ ମା'ଙ୍କୁ ଆରଧନା କରିବା ସମୟରେ ଭକ୍ତର ମନ, ବଚନ ଓ କର୍ମରେ ପବିତ୍ରତା ଆଚରଣ ରହିବା ଆବଶ୍ୟକ । ଏହାଦ୍ବାରା ମା’ଙ୍କ ଆଶିଷ ଲାଭ ହୁଏ ବୋଲି ବିଶ୍ବାସ ରହିଛି । ମା'ଙ୍କୁ ଆରଧନା ସମୟରେ ମନ୍ତ୍ର ଜପ କଲେ ଅନ୍ତର ଆତ୍ମାକୁ ଶକ୍ତି ମିଳିଥାଏ ଓ ଦୀର୍ଘାୟୁ, ଆରୋଗ୍ୟ ଓ ସୁଖ ସମୃଦ୍ଧି ମିଳେ ବୋଲି ବିଶ୍ବାସ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ