ନୂଆଦଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗିରଫ କରିବା ପରେ ଏବେ ସିଧା ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ତାଙ୍କୁ ସିବିଆଇ ଓ ଇଡି ହସ୍ତାନ୍ତର କରାଗଲେ, ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ସେ ଗିରଫ କରି ଦେଖାଇବେ ବୋଲି ସଞ୍ଜୟ କହିଛନ୍ତି । ଗତକାଲି ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ଧାରଣା ପରେ ତାଙ୍କ ସମେତ ପ୍ରାୟ 50ରୁ ଅଧିକ ଆପ ନେତାଙ୍କୁ ପୋଲିସ ଉଠାଇ ଅଟକ ରଖିଥିଲା । ଆଜି ସେମାନଙ୍କୁ ଛଡାଯିବା ପରେ ସେ ସିଧାସଳଖ ସିବିଆଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ।
ସଞ୍ଜୟ କହିଥିଲେ, ‘‘ବିଜେପି ଏପରି କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବାର ପ୍ରୟାସ କରୁଛି । ଯଦି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋ ଅଧୀନରେ ଥାନ୍ତା, ତେବେ ମାତ୍ର 2 ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଆରବପତି ଶିଳ୍ପପତି ଗୌତମ ଆଦାନୀ ଗିରଫ ହୋଇଥାନ୍ତେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକଛତ୍ରବାଦ ଖୁବଶୀଘ୍ର ଶେଷ ହେବ । ସେ ଦେଶର ସର୍ବାଧିକ ଲୋକପ୍ରିୟ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରାଇଛନ୍ତି । ବିଜେପି ସରକାର ଏପରି ଚେଷ୍ଟା କରି ସୁଦ୍ଧା କେଜ୍ରିଓ୍ବାଲଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାରେ ସଫଳ ହେବ ନାହିଁ । କେନ୍ଦ୍ରୀୟ ସଂସ୍ଥାକୁ ଏପରି ଭାବେ ବ୍ଯବହାର କରିବା ବିଜେପରି ଏକ କ୍ରୁର ବ୍ୟବହାର ।’’
ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି (ରବିବାର) ପ୍ରାୟ 8 ଘଣ୍ଟାରୁ ଅଧିକ ସମୟ ଜେରା ପରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ତାଙ୍କ ବିରୋଧରେ ଏହି ମାମଲାରେ ପୂର୍ବରୁ ମଧ୍ୟ ତଦନ୍ତ ଜାରି ରହିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପୂର୍ବରୁ ମଧ୍ୟ ସିସୋଦିଆଙ୍କ ଘରେ ରେଡ କରିସାରିଥିଲେ । ଗତକାଲି ତାଙ୍କୁ ସମନରେ ଡକାଯାଇଥିବା ବେଳେ ପ୍ରାୟ 8 ଘଣ୍ଟା ଧରି ଜେରା କରାଯାଇଥିଲା । ସଂଧ୍ୟାରେ ତାଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି ।
ଗତକାଲି ଦିଲ୍ଲୀ ସ୍ଥିତି ସିବିଆଇ ମୁଖ୍ୟାଳୟ ସାମ୍ନାରେ ଧାରଣା ଓ ପ୍ରତିବାଦ କରିଥିବା ଆମ ଆଦମୀ ପାର୍ଟି ଅନେକ ସ୍ଥାନରେ ପ୍ରତିବାଦ ଜାରି ରଖିଛି । ଆଜି ଦଳ ଦିଲ୍ଲୀ, ପଞ୍ଜାବ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଦଳ ଏହାକୁ ବିରୋଧ କରି ପ୍ରତିବାଦ କରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଅସହିଷ୍ଣୁତା ବୋଲି ଆମ ଆଦମୀ ପାର୍ଟି କହିଛି । ଏବେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସିସୋଦିଆଙ୍କ ଶୁଣାଣି ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ