ମୁମ୍ବାଇ: ମହାରାଷ୍ଟ୍ରର ଗୋରେଗାଓଁ ଅଞ୍ଚଳରେ ଆତଙ୍କ ଖେଳାଇଛି କଲରାପତରିଆ ବାଘ(leopard attack in Goregaon) । ସୋମବାର ସାକାଳୁ ଏଠାରେ ବାଘ ଆକ୍ରମଣରେ ଜଣେ ୧୮ ମାସ ଶିଶୁକନ୍ୟାର ଜୀବନ ଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ଈତିକା ବୋଲି ଜଣା ପଡ଼ିଛି । ସୋମବାର ସକାଳୁ ଈତିକା ନିଜ ମାଆ ସହ ମନ୍ଦିର ଯିବାକୁ ବାହାରି ଥିଲା ।
ଯିବା ବାଟରେ ଅଚାନକ ଏକ କଲରା ପତରିଆ ବାଘ ଈତିକାକୁ ଆକ୍ରମଣ କରି ନେଇଯାଇଥିଲା । ମହିଳା ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଏହାପରେ ଈତିକାକୁ ଛାଡ଼ି ପଳାଇଥିଲା କଲରାପତରିଆ । ଗୁରୁତର ଅବସ୍ଥାରେ ଈତିକାକୁ ସ୍ଥାନୀୟ ସେଭେନ୍ ହିଲ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।
ଘଟଣାକୁ ନେଇ ଖବର ପାଇବା ପରେ ସ୍ଥାନୀୟ ବନପାଳ ହସ୍ପିଟାଲ୍ରେ ପହଞ୍ଚି ଶୋକସନ୍ତପ୍ତ ପରିବାର ସହ କଥା ହୋଇଛନ୍ତି । ଏହି ଘଟଣା ଘଟିଥିବା ସ୍ଥାନକୁ ଯାଇ ବନ ବିଭାଗ ଯାଞ୍ଚ କରିବ ବୋଲି କହିଛନ୍ତି ବନପାଳ । ଏଠାରେ ବାଘ ଆକ୍ରମଣ ବଢ଼ୁଥିବାରୁ ସନ୍ଧ୍ୟା ଏବଂ ସକାଳ ସମୟରେ ଛୋଟଛୁଆଙ୍କ ବାହାରକୁ ନଛାଡ଼ିବା ପାଇଁ ପରାମର୍ଶ ଦେଇଛି ବନ ବିଭାଗ ।
ସାଧାରଣତଃ ମଣିଷଙ୍କୁ ଆହାର ଭାବରେ ଗ୍ରହଣ କରିବାକୁ ଭଲ ପାଆନ୍ତିନି ବାଘ । କୁକୁର, ବତକ, ହରିଣ ବା ଏଭଳି ଜୀବଜନ୍ତୁଙ୍କୁ ଶିକାର କରିଥାଆନ୍ତି । କିନ୍ତୁ ଅନେକ ସମୟରେ କଲରାପତରିଆ ଛୋଟପିଲାଙ୍କୁ ଶିକାର କରିବା ନଜୀର ରହିଛି । ଏଣୁ ବର୍ତ୍ତମାନ କିଛି ଦିନ ପାଇଁ ଗୋରେଗାଓଁ ଅଞ୍ଚଳରେ ଛୋଟଛୁଆଙ୍କ ପ୍ରତି ଧ୍ୟାନ ଦେବାକୁ ଅପିଲ୍ କରି ବନ ବିଭାଗ ।