ପାଟନା: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ନିଜ ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଭାରତୀୟ ମୁସଲମାନମାନେ ମୋଗଲଙ୍କ ବଂଶଜ ନୁହନ୍ତି, ବରଂ ସେମାନେ ହିନ୍ଦୁଙ୍କର ବଂଶଧର ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ବିହାର ବେଗୁସରାଇରୁ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।
କେନ୍ଦ୍ରମନ୍ତ୍ରୀ ସିଂ ଆଜି (ରବିବାର) ନିଜ ଗୃହ ସଂସଦୀୟ କ୍ଷେତ୍ର ବେଗୁସରାଇ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ନୀତିଶ ସରକାର ଉପରେ ବର୍ଷିଥିଲେ । ବିହାରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ କାରକେଡ ଉରରେ ଆକ୍ରମଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହି ନିନ୍ଦା କରିଛନ୍ତି ଗିରିରାଜ । ସେହିପରି ସେ ମୋଗଲ ସାମ୍ରାଜ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ଏବେ ଭାରତରେ ଥିବା ମୁସଲମାନମାନେ ମୋଗଲଙ୍କ ବଂଶଧର ନୁହନ୍ତି ବରଂ ସେମାନେ ଆମର (ହିନ୍ଦୁ) ବଂଶଜ ବୋଲି ମଧ୍ୟ କହିଥିଲେ ଗିରିରାଜ ସିଂ ।
ଗିରିରାଜ ସିଂ କହିଛନ୍ତି, ବଖତିଆରପୁର ହେଉ କି ବେଗୁସରାଇ କିମ୍ବା ବିହାରର ଅନ୍ୟ କୌଣସି ଜିଲ୍ଲାର ନାମ ସ୍ବାଧୀନତା ପରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଥିଲା । ଏହି ସବୁ ସ୍ଥାନମାନଙ୍କରେ ଏହି ଦାସତ୍ୱର ନାମ ହଟାଇବାର ଆବଶ୍ୟକତା ଅଛି । ଯଦି ବିହାରରେ ତାଙ୍କ ସରକାର ଗଠନ ହୁଏ ତେବେ ଦାସତ୍ୱର ସମସ୍ତ ପ୍ରତୀକ ହଟାଯିବା ନେଇ ମଧ୍ୟ ସେ କହିଥିଲେ । ଏହା ତୁଷ୍ଟିକରଣ ରାଜନୀତି ନୁହେଁ, କାରଣ ଭାରତର ଅବଶିଷ୍ଟ ମୁସଲମାନ ମୋଗଲଙ୍କ ବଂଶଧର ନୁହଁନ୍ତି, ସେମାନେ କେବଳ ଆମର ବଂଶଧର ବୋଲି କହିଥିଲେ ଗିରିରାଜ ସିଂ ।
ରାମ ନବମୀରେ ବିହାରରେ ହୋଇଥିବା ଦଙ୍ଗା ଘଟଣାରେ ମଧ୍ୟ ସେ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ ଏତେ ଦୁର୍ବଳ ଯେ ଭୋଟ ପାଇଁ ରାଜ୍ୟକୁ ଦଙ୍ଗାକାରୀଙ୍କ ହାତରେ ଛାଡି ଦେଇଛନ୍ତି । ସେମାନେ ହିନ୍ଦୁମାନଙ୍କୁ ମିଛ ମାମଲାରେ ଫସାଉଛନ୍ତି, ହେଲେ ଏହା ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ ନାହିଁ । ପ୍ରକୃତ ଦଙ୍ଗାକାରୀଙ୍କୁ ଗିରଫ କରିବା ଏବଂ ହିନ୍ଦୁମାନଙ୍କ ବିରୋଧରେ କରାଯାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ସେହିପରି ସେ ବିରୋଧୀ ମିଳିତ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି । ନୀତିଶଙ୍କୁ ପରୋକ୍ଷ ଇଙ୍ଗୀତ କରି, ସ୍ବପ୍ନ କେହି ବି ଦେଖିପାରିବେ, କାହାକୁ ସ୍ବପ୍ନ ଦେଖିବାରେ ବାରଣ ନାହିଁ ବୋଲି କହିଛନ୍ତି ଗିରିରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ