ହାଇଦ୍ରାବାଦ: କର୍ଣ୍ଣାଟକର ଉଦୁପି ଜିଲ୍ଲାର ମାଲପେ ବନ୍ଦର(Malpe port of Karnataka)ରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ବିରଳ ସାମୁଦ୍ରିକ ମାଛ । ଯାହାକୁ ଗୋଲ ମାଛ (rare fish caught in Malpe port ) ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହୁଛନ୍ତି । ଏହି ବିଶାଳ ମାଛଟି ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ହୋଇଥିବା ବେଳେ ଏହାର ଓଜନ ରହିଛି 22 କିଲୋଗ୍ରାମ । ତେବେ ଏହା ଧରା ହେବା ପରେ ଏହାକୁ ଚାହିଦାର ସହ ବିକ୍ରି ମଧ୍ୟ କରାଯାଇଛି । କେଜି ପିଛା 10,640 ଟଙ୍କା ଦରରେ ଏହାକୁ 2,34,080 ଟଙ୍କାରେ ବିକ୍ରି କରାଯାଇଛି । ଏହି ବିରଳ ମାଛକୁ ଦେଖିବା ପାଇଁ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା ।
ମାଛଟିର ଔଷଧୀୟ ଗୁଣ ରହିଥିବାରୁ ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ମଧ୍ୟ ରହିଥିବା କୁହାଯାଉଛି । କିଛି ଔଷଧ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଇଥାଏ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସୂଚନା ଅନୁସାରେ, ଏହା ହେଉଛି ମାଲପେ ବନ୍ଦରରେ ନିଲାମରେ ହୋଇଥିବା ସବୁଠାରୁ ମହଙ୍ଗା ମାଛ । ଏହା ଏକ ବିରଳ ସାମୁଦ୍ରିକ ମାଛ ହୋଇଥିବା ବେଳେ ଆରବ ସାଗର, ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିୟା ଉପକୂଳରେ ଏହାକୁ ପ୍ରାୟତଃ ଦେଖିବାକୁ ମିଳିଥାଏ ବୋଲି ମତ୍ସ୍ୟଜୀବୀ କହିଛନ୍ତି । ଏହି ମାଛଗୁଡିକ ଆକାରରେ ବିଶାଳ ହୋଇଥିବା ବେଳେ ପ୍ରାୟ 30 କିଲୋଗ୍ରାମ କିମ୍ବା ତାହା ଠାରୁ ଅଧିକ ଓଜନ ବିଶିଷ୍ଟ ହୋଇଥାନ୍ତି । ଏହି ପ୍ରଜାତିର 30 କେଜି ଓଜନ ବିଶିଷ୍ଟ ମାଛର ମୂଲ୍ୟ ପ୍ରାୟ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ବୋଲି ମଧ୍ୟ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ