ଭୋପାଳ: ସୀମା ଡେଇଁଲା ପାଶବିକତା । ଜଣେ ଆଦିବାସୀ ମହିଳାଙ୍କୁ ଖାଦ୍ୟ ଦେବା ବାହାନାରେ 12 ଦିନ ଯାଏଁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା । ଏନେଇ ବୁଧବାର ଦିନ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଢାବା ମାଲିକ, ରୋଷେୟା ଏବଂ ଜଣେ କର୍ମଚାରୀ ମିଶି ମହିଳାଙ୍କୁ ବନ୍ଧକ ରଖିବା ସହ 12 ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏମିତି ଥିଲା ଘଟଣା
ସତନା ଜିଲ୍ଲାରେ ଏକ ଆଦିବାସୀ ମହିଳା ଖାଦ୍ୟ ମାଗିବା ପାଇଁ କଞ୍ଚନ ନାମକ ଏକ ଢାବାକୁ ଯାଇଥିଲେ । ହେଲେ ସେଠାରେ ଢାବା ମାଲିକ ଖାଦ୍ୟ ଦେବା ସହ ମହିଳାଙ୍କୁ ବନ୍ଧକ ରଖିଥିଲେ । ଏହା ପରେ ଢାବା ମାଲିକ, ରୋଷେୟା ଏବଂ ଜଣେ କର୍ମଚାରୀ ମିଶି ମହିଳାଙ୍କୁ 12 ଦିନ ଯାଏଁ ବାରମ୍ବାର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 12 ଦିନ ପରେ ମହିଳା ଜଣକ କୌଶଳତାର ସହ ଢାବାରୁ ଖସି ଆସି ନାଦାନ ଥାନାରେ ପହଞ୍ଚି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଢାବା ମାଲିକ ରାଜେନ୍ଦ୍ର ପାଟେଲ,ରୋଷେୟା ଲାଲୁ ୟାଦବ ଏବଂ କର୍ମଚାରୀ ଶନି ସକେତକୁ ଗିରଫ କରିଛି ।
ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୩କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା
ପୋଲିସର କହିବା ଅନୁସାରେ, "NH30ରେ ଅବସ୍ଥିତ କଞ୍ଚନ ଢାବାରେ ଜଣେ 26 ବର୍ଷୀୟ ଆଦିବାସୀ ମହିଳାଙ୍କୁ 12 ଦିନ ଯାଏଁ 3 ଜଣ ଦୁଷ୍କର୍ମ କରିଥିଲେ । ପୀଡିତା ମହିଳା ଜଣକ ମହାରାଷ୍ଟ୍ରର ଅଟନ୍ତି ।"
ଖବରଅନୁସାରେ, ମହିଳା ଜଣକ ଘର ଲୋକଙ୍କ ଉପରେ ରାଗିଯାଇ 12 ଦିନ ପୂର୍ବରୁ ଘର ଛାଡି ନିଜ ଭଉଣୀ ଘରକୁ ଯାଉଥିଲେ । ଏହି ସମୟରେ ତାଙ୍କୁ ଭୋକ ଲାଗିବାରୁ ସେ କଞ୍ଚନ ଢାବାରେ ପହଞ୍ଚିଥିଲେ । ତେବେ ସେଠାରେ 3 ଜଣ ତାଙ୍କୁ ବନ୍ଧକ ରଖିବା ସହ 12 ଦିନ ଧରି ଦୁଷ୍କର୍ମ କରିଥିଲେ । ମଙ୍ଗବାର ଦିନ କୌଣସି ପ୍ରକାରେ ମହିଳା ଜଣକ ଖସିଆସି ପୋଲିସ ନିକଟରେ ପହଞ୍ଚିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା 376 ଏବଂ 342ରେ ମାମଲା ରୁଜୁ କରି ଗିରଫ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ