ମୁମ୍ବାଇ: ମହାରାଷ୍ଟ୍ର ଏନକାଉଣ୍ଟରରେ ଟପ୍ ନକ୍ସଲ ମିଲିନ୍ଦ ଟେଲଟୁମ୍ବଡେ ସଫା । ଗତକାଲି(ଶନିବାର) ଏନକାଉଣ୍ଟରରେ ନିହତ ହୋଇଥିବା ୨୬ ନକ୍ସଲଙ୍କ ମଧ୍ୟରେ ଟେଲଟୁମ୍ବଡେ ଥିବା ଜଣାପଡିଛି । ଏନେଇ ଗଡଚିରୋଲି ପୋଲିସ ସ୍ପଷ୍ଟ କରିଛି ।
ଗଡଚିରୋଲି ପୋଲିସ୍ କହିଛି ଯେ, ଗତକାଲି ଘଟିଥିବା ଏନକାଉଣ୍ଟରେ ମିଲିନ୍ଦର ମୃତ୍ୟୁ ଘଟିଛି । ସେ ନକ୍ସଲ ସଂଗଠନର ସେଣ୍ଟ୍ରାଲ ଜୋନ୍ କମିଟିର ସଦସ୍ୟ ଥିଲେ । ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା ଇତ୍ୟାଦି 6 ଟି ରାଜ୍ୟରେ ଜଣେ ସକ୍ରିୟ ନକ୍ସଲ ଥିଲା । ତା' ନାମରେ 50 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ସାରା ଦେଶରେ ନକ୍ସଲ କାର୍ଯ୍ୟକଳାପରେ ନକ୍ସଲ ମିଲିନ୍ଦ ଟେଲଟୁମ୍ବଡେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ମହାରାଷ୍ଟ୍ର ୟଭତମାଳା ଜିଲ୍ଲାର ମୂଳ ବାସିନ୍ଦା ମିଲିନ୍ଦ । ସେ ଦୀପକ ନାମରେ ଜଣାଶୁଣା । ଇଞ୍ଜିନିୟରିଂ ଅଧ୍ୟୟନ କରିଥିବା ମିଲିନ୍ଦ ଗତ 30 ବର୍ଷ ଧରି ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ଥିଲା । ନିଷିଦ୍ଧ ମାଓବାଦୀ କମ୍ୟୁନିଷ୍ଟ ପାର୍ଟିର ସେ ରାଜ୍ୟ ସଚିବ ମଧ୍ୟ ଥିଲା । ତିନି-ଚାରି ବର୍ଷ ପୂର୍ବେ ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ (ଏମଏମସି) ଜୋନ୍ ପ୍ରତିଷ୍ଠା କରିବାରେ ମିଲିନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେ ଏହି ଜୋନର ସର୍ବୋଚ୍ଚ ନେତା ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ