ନୂଆଦିଲ୍ଲୀ: ରାଫେଲ ବିବାଦରେ ପୁଣି ଏକ ନୂଆ ଦିଗ ସାମ୍ନାକୁ ଆସିଛି । (ଗତକାଲି) ରବିବାର ଫ୍ରାନ୍ସର ଏକ ଅନଲାଇନ ଜର୍ଣ୍ଣାଲ ମିଡିଆ ରିପୋର୍ଟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟସ୍ଥତା ଦ୍ବାରା ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଦାବି ହୋଇଛି ।
ଏଥିରେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଦାସଲ୍ଟ ଆଭିଏସନ ଦ୍ବାରା ଭାରତକୁ 36ଟି ରାଫେଲ ଯୁଦ୍ଧ ବିମାନ ବିକ୍ରି ବୁଝାମଣା ସୁନିଶ୍ଚିତ କରିବାରେ ଲାଞ୍ଚ କାରବାର ପ୍ରମାଣ ରହିଥିବା ଦାବି କରିଛି ଫ୍ରାନ୍ସ ମିଡିଆ ସଂସ୍ଥା । ତେବେ ଅଭିଯୋଗ କେବଳ ଏତିକିରେ ସୀମିତ ନୁହେଁ ବରଂ, ଲାଞ୍ଚ କାରବାର ନେଇ ଭାରତୀୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ED ଓ CBI ନିକଟରେ ସୂଚନା ରହିଥିବା ସତ୍ତ୍ବେ ସେମାନେ କାର୍ଯାନୁଷ୍ଠାନ ପରିବର୍ତ୍ତେ ନୀରବ ରହିଥିବା ଅଭିଯୋଗ କରିଛି ଫ୍ରାନ୍ସର ଏହି ମିଡିଆ ଏଜେନ୍ସି ।
ଫରାସୀ ମିଡିଆପାର୍ଟ ରିପୋର୍ଟ ଅନୁଯାୟୀ, ଏହି ଡିଲରେ ମଧ୍ୟସ୍ଥତା କରୁଥିବା ସୁଶେନ ଗୁପ୍ତାଙ୍କୁ 7.5 ନିୟୁତ ୟୁରୋ (ପ୍ରାୟ 65 କୋଟି) ଲାଞ୍ଚ ଦିଆଯାଇଛି। ଦେୟ ଦେବା ପାଇଁ ନକଲି ଇନଭଏସର ବ୍ୟବହାର କରିଛି ଫରାସୀ ବିମାନ କମ୍ପାନୀ ଦାସୋଲ୍ଟ । ଏହି ମଧ୍ୟସ୍ଥି ସୁଶେନ ଗୁପ୍ତା ପୂର୍ବରୁ ମଧ୍ୟ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଡିଲରେ ଲାଞ୍ଚ ଅଭିଯୋଗରେ ଗିରଫ ହୋଇଥିଲେ । ତେବେ ତାଙ୍କର ଏହି ବହୁଚର୍ଚ୍ଚିତ ରାଫେଲ ଜେଟ ଡିଲରେ ମଧ୍ୟ ସମ୍ପୃକ୍ତି ରହିଥିବା କହିଛି ଫରାସୀ ମିଡିଆ ସଂସ୍ଥା ।
ମିଡିଆ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁସାରେ ଏହି ଲାଞ୍ଚ କାରବାର ନେଇ 2018 ମସିହା ଅକ୍ଟୋବର ମାସରୁ ଭାରତୀୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI )ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ (ED) ନିକଟରେ ତଥ୍ଯ ଓ ପ୍ରମାଣ ମଧ୍ୟ ରହିଥିଲା । ତେବେ ଏହାର ତଦନ୍ତ ଆରମ୍ଭ କରାଯିବା ପରିବର୍ତ୍ତେ ତଦନ୍ତକାରୀ ସଂସ୍ଥା ନୀରବଦ୍ରଷ୍ଟା ସାଜିଥିଲା । ଫ୍ରାନ୍ସର ମିଡିଆ ପାର୍ଟର ଏପରି ସାଙ୍ଘାତିକ ଅଭିଯୋଗ ପରେ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ