ଚେନ୍ନାଇ: ତାମିଲନାଡୁରେ ବାତ୍ୟା ମାଣ୍ଡସର ତାଣ୍ଡବ(Cyclone Mandous ) । ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ କ୍ଷୟକ୍ଷତି ଘଟାଇଛି ସାମୁଦ୍ରିକ ବାତ୍ୟା ମାଣ୍ଡସ । ଅନେକ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବାତ୍ୟା ମାଣ୍ଡସ ଯୋଗୁଁ ତାମିଲନାଡୁରେ ପ୍ରାୟ ୧୮୧ ଘର ନଷ୍ଟ ହୋଇଥିବା ବେଳେ ସହରରେ ପ୍ରାୟ ୪୦୦ ଗଛ ଉପୁଡ଼ି ଯାଇଛି । ଅନେକ ଜିଲ୍ଲାରେ ବିଦ୍ୟୁତ ପୋଲ ଏବଂ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି, ଫଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ୨୦୧ ରିଲିଫ୍ କ୍ୟାମ୍ପରେ ୯୧୩୦ ଲୋକ ଆଶ୍ରୟ ନେଉଛନ୍ତି । ଶନିବାର ସନ୍ଧ୍ୟାରେ ଉତ୍ତର ତାମିଲନାଡୁରେ ଧିରେ ଧିରେ ଦୁର୍ବଳ ହୋଇଥିଲା ବାତ୍ୟା ମାଣ୍ଡସ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢନ୍ତୁ-ବଣୁଆ ବିଲେଇ ଆକ୍ରମଣରେ 8ମାସର ଶିଶୁପୁତ୍ରର ମୃତ୍ୟୁ, ୫ ଝିଅରେ ଥିଲା ଗୋଟିଏ ଭାଇ
ଗତ ଶୁକ୍ରବାର ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମାଣ୍ଡସ ସକାଳ ୯ଟା ୩୦ରେ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ମହାବଳିପୁରମରେ ଲ୍ୟାଣ୍ଡଫଲ କରିଥିଲା । ଏହି ସମୟରେ ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହିବା ସହ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଚେନ୍ନାଇ ଏବେଂ ପୁଡୁଚେରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଜନଜୀବନ ବ୍ୟାହତ ହୋଇଥିଲା । ବାତ୍ୟା ମାଣ୍ଡସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା । ଏହା ବ୍ୟତୀତ ପଡୋଶୀ ଆନ୍ଧ୍ରପ୍ରଦେଶ ଜିଲ୍ଲା ମଧ୍ୟ ବାତ୍ୟା ମାଣ୍ଡସ ଯୋଗୁଁ ସାମାନ୍ୟ ପ୍ରଭାବିତ ହୋଇଥିଲା ।