ବେଙ୍ଗାଲୁରୁ: ତୁଣ୍ଡରେ ଲଗାମ ଦେଲେନି । କହିବା ଆଗରୁ ଭାବିଲେନି । ବିଧାନସଭା ପରି ପବିତ୍ର ଗୃହରେ ଯାହା ମନକୁ ଆସିଲା କହିଲେ । ବିବାଦ ଭିତରରୁ ଟାଣି ହେଲେ । ଲୋକହସା ହେଲେ ଆଉ ଏବେ ଭୁଲ ମାଗିଲେ । କର୍ଣ୍ଣାଟକ ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବାବେଳେ ଅପଶଦ୍ଦ ପ୍ରୟୋଗ କରି ବିବାଦୀୟ ହୋଇଥିବା କଂଗ୍ରେସ ବିଧାୟକ କେଆର ରମେଶ କୁମାର ଭୁଲ ମାଗିଛନ୍ତି (Ramesh Kumar controversial remark on Rape)।
ଦୁଷ୍କର୍ମକୁ ଅଟକାଇବାରେ ସକ୍ଷମ ନ ହେଲେ ତାକୁ ଉପଭୋଗ କରିନ୍ତୁ ବୋଲି ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ହଟହଟା ହୋଇଥିଲେ କେଆର ରାକେଶ କୁମାର । ଦିଲ୍ଲୀର ଏକ ଏନଜିଓ ମଧ୍ୟ ତାଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା । ବିଧାୟକ ପଦରୁ ତାଙ୍କୁ ବହିଷ୍କାର କରିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା । ବିବାଦୀୟ ବୟାନ ପାଇଁ ଆଜି ବିଧାନସଭାରେ ଭୁଲ ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରାକେଶ କୁମାର । ସେ କହିଛନ୍ତି ମୋ ବୟାନ ଯଦି ମହିଳାଙ୍କ ଭାବାବେଗକୁ ଆଘାତ ଦେଇଛି ତେବେ ମୋର ଭୁଲ ମାଗିବାରେ କୌଣସି ଆପତ୍ତି ନାହିଁ । ମୁଁ ହୃଦୟରୁ ଭୁଲ ମାଗୁଛି ।
ଗତକାଲି ସେ ଟୁଇଟ୍ କରି ମଧ୍ୟ ଦେଇଥିବା ବୟାନ ପାଇଁ ଭୁଲ ମାଗିଛନ୍ତି । ମୁଁ ଉଦ୍ଦେଶ୍ୟମୂଳକ ଭାବରେ କିଛି କହିନାହିଁ । ଆଗକୁ ମୋ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବି ବୋଲି କହିଛନ୍ତି କେଆର ରମେଶ କୁମାର । ଏହା ଉତ୍ତରରେ ବାଚସ୍ପତି ବିଶେଶ୍ବର ହେଗଡେ କାଗେରି କହିଛନ୍ତି ସେ କ୍ଷମା ମାଗିଛନ୍ତି ଏ କଥାକୁ ଆଉ ଆଗକୁ ବଢା ନଯାଉ ଏହି ଠାରେ ସ୍ଥଗିତ ରଖାଯାଉ ।
ପ୍ରକାଶ ଥାଉ କି, କର୍ଣ୍ଣାଟକ ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଓ ଚାଷୀଙ୍କ ସମସ୍ୟା ବିଷୟରେ ସମୟରେ ବିଧାୟକମାନେ ଗୃହରେ ତଥ୍ୟା ଉପସ୍ଥାପନ କରିବାକୁ ଚାହୁଁଥିଲେ । ଏହି ସମୟରେ ବାଚସ୍ପତି ବିଶେଶ୍ବର ହେଗଡେ କାଗେରି ସମୟ କମ ଥିବାରୁ ସେ ଆଲୋଚନାକୁ ଜଲଦି କରିବାକୁ ଚାହୁଁଥିଲେ କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା ହେଲେ ଅଧିବେଶନ କେମିତି ସରିବ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ । ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣଙ୍କ କଥାରେ ହଁ କରିବାକୁ ପଡ଼ିବ ।
ଆହୁରି ପଢନ୍ତୁ...ଅଡୁଆରେ ବିଧାୟକ, ଦୁଷ୍କର୍ମକୁ ନେଇ ବିଧାନସଭାରେ ଦେଲେ ବିବାଦୀୟ ବୟାନ
ବାଚସ୍ପତିଙ୍କ ଏହି କଥାକୁ ଦୁଷ୍କର୍ମ ସହ ତୁଳନା କରିଥିଲେ ବିଧାୟକ । ସ୍ମିତ ହାସ୍ୟ ଦେଇ କହିଥିଲେ ଆପଣ ଦୁଷ୍କର୍ମକୁ ଅଟକାଇବାରେ ସକ୍ଷମ ହେବେ ନାହିଁ ତେବେ ତାକୁ ଉପଭୋଗ କରିବା ଉଚିତ୍ । ବର୍ତ୍ତମାନ ଆପଣ ସେଭଳି ସ୍ଥିତିରେ ଅଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାକେଶ କୁମାର । ଯାହାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ