ଶିମଲା: ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ହିମାଚଳଶ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ଅନ୍ତିମ ସଂସ୍କାର । ଆଜି ଅପରାହ୍ନରେ ହିମାଚଳ ପ୍ରଦେଶର ରାମପୁରରେ ଯୋଗୀନି ବାଗରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି । ତାଙ୍କ ପୁଅ ବିକ୍ରମାଦିତ୍ୟା ସିଂ ମୁଖ୍ୟାଗ୍ନୀ ଦେଇଥିଲେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଥିବା ଦେଖିବାକୁ ମିଳିଥିଲା । ସେହପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ନିଜ ପ୍ରତିନିଧିଙ୍କ ଜରିଆରେ ଶେଷକୃତରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।
ଦୀର୍ଘ ଦିନର ଅସୁସ୍ଥତା ପରେ ଜୁଲାଇ 8 ରେ ଶିମଲାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବୀରଭଦ୍ର । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟଷ ହୋଇଥିଲା । ହିମାଚଳ ପ୍ରଦେଶରେ ଏକ ଗୁରୁତ୍ବପୂର୍ଣ୍ଣ ତଥା ଲମ୍ବା ରାଜନୈତିକ ଇନିଶଂ ଖେଳିଥିଲେ ବୀରଭଦ୍ର । ସେ କଂଗ୍ରେସରୁ 9 ଥର ବିଧାୟକ ଭାବେ ନିର୍ବାଚିତ ହେବ ସହ 5 ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ 6 ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ