ହାଇଦ୍ରାବାଦ: ଜର୍ମାନୀ ସହରରେ ପିଜା ଡେଲିଭରୀ ବଏ ଭାବେ ନଜର ଆସିଲେ ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ । ପୂର୍ବତନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସୟଦ ଅହମ୍ମଦ ଶାହ ସାଦତ ଜର୍ମାନୀରେ ଫୁଡ ଡେଲିଭରୀ କରୁଥିବାର ଏକ ଚିତ୍ର ସମ୍ନାକୁ ଆସିଛି । ଆଫଗାନିସ୍ତାନରେ ତାଲିବାନ କବଜା ପରେ ଅନେକ ସମ୍ବେଦନଶୀଳ ଦୃଶ୍ୟ ଜନମାନକୁ ଆନ୍ଦୋଳିତ କରୁଥିବା ବେଳେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଡେଲିଭରୀ ବଏ ଅବତାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏକ ମିଡିଆ ଆଉଟଲୁକ୍ ଟ୍ବିଟରେ ସୟଦ ଅହମ୍ମଦ ସାଦତଙ୍କ ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସାଦତ ଏକ ସାଇକେଲରେ ପିଜା ଡେଲିଭରୀ କରୁଥିବା ଦେଖାଯାଇଛି । ତାଲିବାନୀ ଭୟରେ ରାଷ୍ଟ୍ରପତି ଅସରଫ ଘନି ଓ କିଛି ବରିଷ୍ଠ ପଦାଧିକାରୀ ଦେଶ ଛାଡି ପଳାୟନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ଫୁଡ ଡେଲିଭର କରିବାର ଦୃଶ୍ୟ ଏବେ ଚହଳ ପକାଇଛି ।
ସାଦତ ୨୦୧୮ ମସିହରେ ଅଶରଫ ଘନିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ୨୦୨୦ ମସିହା ପର୍ଯ୍ୟନ୍ତ ସେ ଆଫଗାନିସ୍ତାନର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । କିନ୍ତୁ ମତଭେଦ କାରଣରୁ ୨୦୨୦ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଆଫଗାନିସ୍ତାନ ଛାଡି ଜର୍ମାନୀ ପଳାଇ ଆସିଥିଲେ ।
2005-2013 ଯାଏଁ ସାଦତ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଯୋଗଯୋଗ ମନ୍ତ୍ରୀଙ୍କ ମୁଖ୍ୟ ବୈଷୟିକ ଉପଦେଷ୍ଟା ଭାବେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଏପରିକି ସେ ଲଣ୍ଡନର ଏରିଆନା ଟେଲିକମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ