ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଅଞ୍ଚଳରେ ଆତଙ୍କ ଖେଳାଇଛି ଏକ ମଣିଷଖିଆ ବାଘ (forest dept failed to tranquilize tiger in bihar )। ବିଗତ ଦିନରେ ଏଠାରେ ବାଘ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଯାଇଥିବା ବେଳେ ବାଘକୁ ଧରିବାରୁ ସମସ୍ତ ପ୍ରୟାସ ଫେଲ୍ ମାରିଛି । ବାଲ୍ମିକୀ ଟାଇଗର ରିଜର୍ଭରେ ଏହି ମଣିଷଖିଆ ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ପ୍ରୟାସ କରାଯାଇଥିଲା । ତେବେ ଚିଉଟାହା ବନାଞ୍ଚଳରେ ହରିପୁର ଗ୍ରାମରେ ବାଘ ଲୁଚି ଯାଇଥିବା ଜଣା ପଡ଼ିଛି ।
ଗୁରୁବାର ବାଘକୁ ଧରିବା ପାଇଁ ଜାଲ ବିଛାଇ ଥିଲା ବନ ବିଭାଗ । କିନ୍ତୁ ବନ କର୍ମଚାରୀଙ୍କୁ ଚକ୍ମା ଦେଇ ଏକ ଛେଳିକୁ ନେଇ ଯାଇଥିଲା ବାଘ । ଯାହାକୁ ବାଘକୁ ଲୋଭାନ୍ବିତ କରିବା ପାଇଁ ରଖିଥିଲା ବନବିଭାଗ । ଏହାପୂର୍ବରୁ ଏକ ଗୋଟିଏ ମଇଁଶି ଓ ଛେଳିକୁ ଏକ ପିଞ୍ଜରା ରଖିଥିଲା ବନ ବିଭାଗ । କିନ୍ତୁ ବାଘ ପିଞ୍ଜରା ପାଖକୁ ହିଁ ଆସିନଥିଲା । ବନ ବିଭାଗ ନିରାଶ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।
ଗତ ସପ୍ଟେମ୍ବର ୨୧ ତାରିଖରେ ବାଘ ସ୍ଥାନୀୟ ଗ୍ରାମରେ ଜଣେ ଚାଷୀକୁ ଆକ୍ରମଣ କରିଥିଲା । ଫଳରେ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ବିଷୟରେ ଜାଣିବା ପରେ ବନ ବିଭାଗ ଲଗାତାର ବାଘ ଉପରେ ନଜର ରଖିଥିଲା । ଦୁଇଦିନ ହେଲା ବାଘକୁ ଧରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । କିନ୍ତୁ ବାଘ ତାର ଠିକଣା ପରିବର୍ତ୍ତନ କରି ଚାଲିଛି । ଏହାକୁ ନେଇ ବନ ବିଭାଗର ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ୧୫୦ ବନକର୍ମୀ ନିୟୋଜିତ ଅଛନ୍ତି । ଯଥାଶୀଘ୍ର ବାଘ ଧରାଯିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ । ବାଘ ଲଗାତାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ବନ ବିଭାଗ ସମସ୍ୟାରେ ପଡ଼ିଛି । ବର୍ତ୍ତମାନ ସ୍ଥାନୀୟ ଚାଷ ଜମିରେ ବାରିକେଡ କରି ଏହି ମଣିଷଖିଆ ବାଘକୁ ଧରିବାକୁ ପ୍ରୟାସ କରାଯାଉଛି ।