ବେଙ୍ଗାଲୁରୁ: ହାତୀ ଆକ୍ରମଣରେ ଚାଲିଗଲା ଜଙ୍ଗଲ କର୍ମଚାରୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ସୁନ୍ତିକୋପ୍ପା ଅନ୍ତର୍ଗତ କେଡାକାଲ ଗାଁ ନିକଟରେ । ଜମ୍ବୋ ବ୍ୟାକ ଟୁ ଫରେଷ୍ଟ ଅଭିଯାନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ଜଣକ ଜଙ୍ଗଲ ବିଭାଗର ଏଲିଫ୍ୟାଣ୍ଟ ଟ୍ୟାକ୍ସ ଫୋର୍ସ କର୍ମଚାରୀ ଗିରିଶ (35) ହୋଇଥିବା ସୂଚନା ।
ତେବେ ସୂଚନା ଅନୁଯାୟୀ ପ୍ରଥମେ ହାତୀଟି 2 ଜଣଙ୍କୁ ଆକ୍ରମଣ କରିଥିଲା । ସୁନ୍ତିକୋପ୍ପା ଅଞ୍ଚଳର ମୁଗୁରେଶ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ କେଡାକାଲ ଗାଁକୁ ଯାଉଥିବା ବେଳେ ହାତୀଟି ଆକ୍ରମଣ କରିଥିଲା । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ହାତୀଟି ନିକଟରେ ଥିବା ଏକ ବଗିଚାକୁ ଯାଇ ସେଠାରେ ମଧ୍ୟ ଆଉ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା ।
ତେବେ ଏନେଇ ସୂଚନା ପାଇବା ପରେ ଜଙ୍ଗଲ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ଓ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଅପରେସନ ଆରମ୍ଭ କରିଥିଲେ । 20 ଜଣିଆ ରାପିଡ ରେସପନ୍ସ ଟିମ ଏହି ଅପରେସନରେ ସାମିଲ ହୋଇ ହାତୀ ଘଉଡାଇବା ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ହାତୀଟି ଅତର୍କିତ ଭାବେ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ମାଡିକେରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ ...Sukma Encounter: ଏନକାଉଣ୍ଟରେ 2 ନକ୍ସଲ ନିପାତ, ମୁଣ୍ଡ ପିଛା ଥିଲା ଲକ୍ଷେ ଟଙ୍କା
ଅନ୍ୟପଟେ ଗତ ସପ୍ତାହରେ ହସାନ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଅଗଷ୍ଟ 31 ତାରିଖରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଙ୍ଗଲ ବିଭାଗର ଅଧିକାରୀ ଭେଙ୍କଟେଶଙ୍କ ମୃତ୍ୟୁ ହୋଇଥିଲା । ହସାନ ଜିଲ୍ଲା ଅଲାରୁ ତାଲୁକ ଅଞ୍ଚଳରେ ଭିମା ନାମକ ଜଙ୍ଗଲୀ ହାତୀକୁ କାବୁ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ଭେଙ୍କଟେଶ । ଭେଙ୍କଟେଶ ଜଣେ ସାର୍ପ ସୁଟର ସହ ହାତୀ ଘଉଡାଇବା ବିଶେଷଜ୍ଞ ଥିଲେ । ଆନେ(ହାତୀ) ଭେଙ୍କଟେଶ ଭାବେ ମଧ୍ୟ ବେଶ ଜଣାଶୁଣା ସେ । ତେବେ ଅଲୁର ନିକଟରେ ହାତୀକୁ କାବୁ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭେଙ୍କଟେଶଙ୍କ ଉପରକୁ ଆକ୍ରମଣ କରିଥିଲା । ଗୁରୁତର ଭାବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ